ଖେଳରତ୍ନ ପୁରସ୍କାର ବିଜେତା ପ୍ରମୋଦ ଭଗତଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ
ଭୁବନେଶ୍ୱର : ରାଜ୍ୟବାସୀଙ୍କ ଅଜସ୍ର ଭଲପାଇବା ଯୋଗୁଁ ସଫଳତା ସମ୍ଭବ ହୋଇପାରିଛି କହିଲେ ଓଡିଆ ପାରାଆଥଲେଟ୍ ପ୍ରମୋଦ ଭଗତ । ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହେବାପରେ ପ୍ରମୋଦ ଭଗତ ଓଡିଶା ଫେରିଛନ୍ତି । ଓଡ଼ିଶାରେ ପହଞ୍ଚିବା ପରେ ପ୍ରମୋଦଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ କରିଛନ୍ତି ପ୍ରଶଂସକ ।
ବିରାଟ ପଟୁଆର ସହ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଓଡିଶାବାସୀଙ୍କ ସ୍ନେହ ଶ୍ରଦ୍ଧା ଭଲପାଇବାକୁ ପାଥେୟ କରି ଏ ସଫଳତା ମିଳିଥିବା କହିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ଗୋଲ୍ଡେନ ବଏ ପ୍ରମୋଦ । ପରିବାର ସହ ଓଡିଶାବାସୀଙ୍କୁ ସଫଳତାର ଶ୍ରେୟ ଦେଇଥିବା ବେଳେ ଆହୁରି ପରିଶ୍ରମ ସହ ରାଜ୍ୟ ଓ ଦେଶକୁ ଅଧିକ ଗର୍ବିତ କରିବେ ବୋଲି ସେ କହିଛନ୍ତି । ଏଥିସହ ପାରା ଆଥଲେଟଙ୍କୁ ଓଡିଶା ସରକାରଙ୍କ ନିଯୁକ୍ତି ନିଷ୍ପତିକୁ ପ୍ରମୋଗ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପୂର୍ବରୁ ଖେଳରତ୍ନ ପୁରସ୍କାରର ନାମ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାରର ନାମ ବଦଳାଇ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ନେଇ ଘୋଷଣା କରିଥିଲେ । ପ୍ରଥମ ଓଡିଆ ଭାବେ ପ୍ରମୋଦ ଭଗତଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ପୂର୍ବରୁ କୌଣସି ଓଡିଆ ଖେଳାଳିଙ୍କୁ ଏହି ପୁରସ୍କାର ମିଳିନଥିଲା ।
