‘ଖତରୋନ କେ ଖିଲାଡି ୧୨’ର ବିଜେତା ହେଲେ ତୁଷାର, ଟ୍ରଫି ସହ ଜିତିଲେ କାର
ମୁମ୍ୱାଇ : ସରିଲା ଖତରୋନ କେ ଖିଲାଡି ୧୨’ । ଫାଇନାଲର ଏହି ଏପିସୋଡ୍ ଆସନ୍ତା ସପ୍ତାହରେ ଟିଭିରେ ପ୍ରସାରିତ ହେବ । ଷ୍ଟଣ୍ଟ ସହିତ ପ୍ରତିଯୋଗୀମାନଙ୍କ ନୃତ୍ୟ ପ୍ରଦର୍ଶନ ମଧ୍ୟ ଏହି ପର୍ଯ୍ୟାୟରେ ପ୍ରଦର୍ଶିତ ହେବ । ଏହି ଫାଇନାଲରେ ରୋହିତ ଶେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ର ‘ସର୍କସ’ର ଅଭିନେତା ରଣବୀର ସିଂ ଏବଂ ବରୁଣ ଶର୍ମା ମଧ୍ୟ ନଜର ଆସିବେ । ତେବେ ଏହାରି ଭିତରେ ବର୍ତ୍ତମାନ ବିଜେତାଙ୍କ ନାମ ବିଷୟରେ ଆଲୋଚନା ଜୋରସୋରରେ ଚାଲିଛି । ସମସ୍ତେ ଜାଣିବାକୁ ଇଚ୍ଛା କରୁଛନ୍ତି ଯେ ସିଜନ ୧୨ର ବିଜେତା କିଏ ? ପ୍ରଥମ ପ୍ରଥମେ ଫୈଜଲ ଶେଖଙ୍କ ନାମ ଅର୍ଥାତ୍ ଶ୍ରୀ ଫୈଜୁ ବିଜେତା ବୋଲି କୁହାଯଉଥିଲା ।
ଏବେ କିନ୍ତୁ ଲାଟେଷ୍ଟ ସୂଚନା ରହିଛି ଯେ, ଏହି ଷ୍ଟଣ୍ଟ ଭିତ୍ତିକ ରିଆଲିଟି ଶୋର ଓ୍ୱିନର ହେଉଛନ୍ତି ତୁଷାର କାଳିଆ । ପ୍ରକୃତ ଭାବେ କହିବାକୁ ଗଲେ ତୁଷାର ବିଜେତା ଭାବେ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଟ୍ରେଣ୍ଡ କରୁଛନ୍ତି । ଏମିତିକି ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ‘ଖତରୋନ କେ ଟ୍ରନ୍ କେ ଖିଲାଡି’ର ଅନେକ ପ୍ରଶଂସକ ପୃଷ୍ଠାରୁ ସେୟାର କରାଯାଇଛି ଯେ ତୁଷାର ହିଁ ଟ୍ରଫି ଜିତିଛନ୍ତି ।
ଯଦିଓ ଆନୁଷ୍ଠାନିକ ଭାବରେ ବିଜେତାଙ୍କ ନାମ କେବଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ । ଫାଇନାଲ୍ ସୁଟ୍ ବିଳମ୍ବିତ ରାତିରେ ତୁଷାର ମିଡିଆ ସାମ୍ନାରେ ନଜର ଆସିଥିଲେ । ବିଜେତାଙ୍କୁ ଦିଆଯିବାକୁ ଥିବା କାର ଚାବି ସହିତ ତୁଷାରଙ୍କୁ ଦେଖିବାକୁ ମିଳିଥିଲା । ଯାହା ପରେ ସେ ଶୋ’ରେ ବିଜୟୀ ବୋଲି ଆଲୋଚନା ହୋଇଥିଲା ।
