ଖଲ୍ଲିକୋଟ ପୋଲିସକୁ ବଡ ସଫଳତା : ୩୪ କେଜି ଗଞ୍ଜେଇ, ୮କିଲୋ ସୁନା ସହ ୭୫ ଲକ୍ଷ ଟଙ୍କା ଜବତ
ଖଲ୍ଲିକୋଟ : ଗଞ୍ଜାମ ଜିଲା ଖଲ୍ଲିକୋଟ ପୋଲିସକୁ ବଡ ସଫଳତା । ଖଲ୍ଲିକୋଟ ଥାନା ଅଧିନ ଖୋଜାପାଲି ଗ୍ରାମରେ ରଜନୀକାନ୍ତ ପଟ୍ଟନାୟକଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ୭୫ ଲକ୍ଷ ଟଙ୍କା ଏବଂ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି ।
ଗୁରୁବାର ବିଳମ୍ବିତ ରାତିରେ କୌଣସି ପ୍ରକାରେ ଖବର ପାଇ ଖଲ୍ଲିକୋଟ ଥାନା ଓ ଭେଜିପୁଟ ଫାଣ୍ଡି ପୁଲିସ ପକ୍ଷରୁ ଖୋଜାପାଲି ଗ୍ରାମର ବଡଦାଣ୍ଡ ସାହିରେ ରହୁଥିବା ରଜନୀକାନ୍ତ ପଟ୍ଟନାୟକଙ୍କ ବାସ ଭବନ ଉପରେ ଚଢ଼ାଉ କରିଥିଲେ । ରଜନୀକାନ୍ତ କନ୍ଧମାଳରୁ ଚୋରାରେ ଗଞ୍ଜେଇ ଆଣି ବ୍ୟବସାୟ କରୁଥିବା ବେଳେ ନିଜ ସ୍କୁଟି ଯୋଗେ ଗଂଜେଇ ଚାଲାଣ କରୁଥିବା ଖବର ପାଇ ପୋଲିସ ଏହି ଚଢ଼ାଉ ହୋଇଥିଲା । ଏହି ଚଢ଼ାଉ ବେଳେ ୩୪ କେଜି ଗଞ୍ଜେଇ, ୧୦ ଗ୍ରାମ ଅଫିମ, ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି । ଏନେଇ ଆଜି ଖଲ୍ଲିକୋଟ ଥାନା ପରିସରରେ ଗଞ୍ଜାମ ଏସପି ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ସୂଚନା ଦେଇଛନ୍ତି ।
