ଆଜି ଖୋର୍ଦ୍ଧା ଜିଲା ଦୌରାଜଜ କୋର୍ଟରେ ହାଜର ହେବ ଖଗେଶ୍ୱର
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଅର୍ଚ୍ଚନାଙ୍କ ସହୋଯୋଗୀ ଖଗେଶ୍ୱରର ୧୦ ଦିନିଆ ରିମାଣ୍ଡ ଶେଷ ହୋଇଛି । ଆଜି ଖୋର୍ଦ୍ଧା ଜିଲା ଦୌରାଜଜ କୋର୍ଟରେ ହାଜର ହେବ ଖଗେଶ୍ୱର । ଇଡି ପକ୍ଷରୁ ପୁଣି କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିପାରନ୍ତି । ୧୦ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ପାଇଛି ଇଡି । ତାଙ୍କୁ ଜେରା ପରେ ମିଳିଥିବା ଏକାଧିକ ବ୍ୟକ୍ତିଙ୍କୁ ନୋଟିସ କରିଚି ଇଡି ।
ଖଗେଶ୍ୱରଙ୍କୁ ରିମାଣ୍ଡରେ ନେଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଖଗେଶ୍ବରଙ୍କ ଠାରୁ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର, ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ୍, ପୈତୃକ ସଂପତ୍ତିର ଖୋଳତାଡ଼ କରିଛି । ଅର୍ଚ୍ଚନା ନାଗଙ୍କ ସହ ଖଗେଶ୍ୱରଙ୍କ ମଧ୍ୟରେ ହେଉଥିବା ଟଙ୍କା ନେଣ ଦେଣକୁ ନେଇ ହୋଇଚି ତଦନ୍ତ । ଇଡି କାର୍ଯ୍ୟାଳୟରେ ଖଗେଶ୍ୱରକୁ ରଖାଯାଇ ଜେରା କରାଯିବା ପରେ ଦାମି କାର ଏଣ୍ଡେଭର ଗାଡ଼ି ମଞ୍ଚେଶ୍ଵରରୁ ଜବତ୍ କରାଯାଇଛି ।
ଇଡି ପକ୍ଷରୁ ଗତ ୧୧ ତାରିଖରେ ଜିଲା ଦୌରଜଜ କୋର୍ଟରେ ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବାବେଳେ କୋର୍ଟ ଇଡିଙ୍କୁ ୧୦ ଦିନ ପାଇଁ ଅନୁମତି ପ୍ରଦାନ କରିଥିଲେ । ଆଜି ତାଙ୍କୁ ସୁରକ୍ଷା ବଳୟ ମଧ୍ୟରେ କୋର୍ଟକୁ ନିଆଯିବ ।
