କେନ୍ଦୁଝର ଗଡିଲା ଭୋଟର ସଚେତନତା ରଥ
କେନ୍ଦୁଝର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଠାକରେଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲାରେ ଗଡିଛି ଭୋଟର ସଚେତନତା ରଥ । ଚଳିତ ସେପ୍ଟେମ୍ବର ୧୯ ତାରିଖ ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମାରେ କେନ୍ଦୁଝର ଉପଖଣ୍ଡ ତରଫରୁ ଭୋଟର ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ-ତଥା ଅତିିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସହକାରୀ ଜିଲ୍ଲାପାଳ ନିର୍ବାଚନ କିରଣ କୁମାର ନାଏକ, କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ନିର୍ବାଚନ ରଶ୍ମିତା ସ୍ୱାଇଁ, ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ କେନ୍ଦୁଝର ସଂଜୀବ ବାରିକ, ଏଷ୍ଟାବ୍ଲିସ୍ମେଂଟ୍ ଅଫିସର ମୃତ୍ୟୁଞ୍ଜୟ ପରିଡା ଏବଂ ଚିତରଂଜନ ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ / କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବରିଷ୍ଠ ରାଜସ୍ୱ ସହାୟକ ଗୋପବନ୍ଧୁ ନାଏକ, ସଚ୍ଚିନ୍ ପଣ୍ଡା, ପ୍ରଦୀପ କୁମାର ନାଏକ ଏବଂ କନିଷ୍ଠ ରାଜସ୍ୱ ସହାୟକ ମୁକ୍ତିକାନ୍ତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ଚମ୍ପୁଆ ଏବଂ ଆନନ୍ଦପୁର ଉପଖଣ୍ଡରେ ମଧ୍ୟ ଭୋଟର ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଭୋଟର ସଚେତନତା ରଥ ବିଭିନ୍ନ ବ୍ଲକ୍, ତହସିଲ୍, ସହରାଂଚଳ ତଥା ଗ୍ରାମାଂଚଳ ପରିକ୍ରମା କରି ସାବାଳକ ବା ନୂଆ ଭୋଟର କିପରି ସହଜ ଉପାୟରେ ଫର୍ମନଂ-୬ରେ ଆବେଦନ କରି ଭୋଟର ପରିଚୟ ପତ୍ର ପାଇବେ ସେ ସଂପର୍କରେ ସଚେତନତା ସୃଷ୍ଟି କରିବ । ଏତଦ୍ବ୍ୟତୀତ ପୂର୍ବରୁ ଭୋଟର ପରିଚୟ ପତ୍ର ପାଇଥିବା ଭୋଟରମାନେ କିପରି ନିଜର ଆଧାର କାର୍ଡକୁ ଭୋଟର କାର୍ଡ ସହିତ ସଂଯୋଗୀକରଣ କରିପାରିବେ ସେ ସଂପର୍କରେ ସଚେତନତା ସୃଷ୍ଟି କରାଯିବ ।
