କେନ୍ଦୁଝର : ମାଧପୁର ଫାର୍ମ ଜଳାଶୟରେ ବିଦେଶୀ ପକ୍ଷୀଙ୍କ ସମଗମ
କେନ୍ଦୁଝର : କେନ୍ଦୁଝରଗଡ ପୌରପାଳିକାର ୧୫ ନଂ ୱାର୍ଡର ମାଧପୁର ଫାର୍ମ ପୋଖରୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ଲେସର ହୁଇଷ୍ଟଲିଙ୍ଗ ଡକ୍ ପ୍ରଥମ ଥର ପାଇଁ କେନ୍ଦୁଝରରେ ବହୁ ସଂଖ୍ୟାରେ ଦେଖିବାକୁ ମିଳିଛି । ଏହି ପକ୍ଷୀ ଗୋଆ ଏବଂ ପଶ୍ଚିମବଙ୍ଗ ର କେତେକ ହ୍ରଦରେ ଶୀତ ଋତୁରେ ପ୍ରାୟତଃ ଦେଖିବାକୁ ମିଳିଥାଆନ୍ତି । ପକ୍ଷୀଙ୍କ କିଚିରି ମିଚିରି ରାବ (ଶଦ୍ଦ) ପରିବେଶବିତ୍ ଓ ପକ୍ଷୀପ୍ରେମୀଙ୍କୁ ବେଶ ଆନନ୍ଦ ଦେଉଥିବା ସହ ପୋଖରୀ ନିକଟକୁ ଟାଣି ଆଣୁଛି । ଏହି ବିଦେଶା ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କଡା ନଜର ରଖିଥିବା ସୂଚନା ଦେଇଛି । ରାସ୍ତା ପାଶ୍ୱର୍ରେ ଏହି ପୋଖରୀ ଥିଲେ ମଧ୍ୟ ପୋଖରୀ ଚର୍ତୃଃପାଶ୍ୱର୍ରେ ଗଛ ଏବଂ ବୁଦା ଥିବାରୁ ପକ୍ଷୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି । ଆଜି ସକାଳୁ ଶହ ଶହ ବିଦେଶୀ ପକ୍ଷୀ ଙ୍କୁ ଦେଖିବାକୁ ମିଳିଛି । ପକ୍ଷୀଙ୍କ ଜଳକ୍ରୀଡା ଦେଖିବା ପାଇଁ ପାଖଆଖ ଅଚଂଳର ପରିବେଶ ତଥା ପକ୍ଷୀପ୍ରେମୀଙ୍କ ଭିଡ ଜମିଛି । ଏହି ପକ୍ଷୀଙ୍କର ପେଟ ଧଳା । ପାଣିରେ ଥିବା ଦଳ, ପୋକଜକ ଖାଇଥାନ୍ତି ବୋଲି ପକ୍ଷୀପ୍ରେମୀ ସୋମନାଥ ଦାଶ କହିଛନ୍ତି । ପକ୍ଷୀ ଗୁଡିକ ଦଳ ଦଳ ହୋଇ ଗୋଟିଏ ପଟରୁ ଅନ୍ୟପଟକୁ ଖାଦ୍ୟ ଅନ୍ୱେଷଣରେ ଉଡୁଥିବାର ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଛି । ଖବର ପାଇ ଡିଏଫ୍ଓ ଧନରାଜ ଏଚ୍ଡି ମାଧପୁର ଫାର୍ମ ପୋଖରୀ ପରିଦର୍ଶନ କରି ପକ୍ଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଏତଦ୍ ବ୍ୟତୀତ ପୋଖରୀ ହୁଡାରେ ଅଧିକ ସଂଖ୍ୟାରେ ବୃକ୍ଷ ଲଗାଇବା ସହ ପୋଖରୀକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଚଳିତ ବର୍ଷ ୧୦ ତାରିଖରେ ହେବାକୁ ଥିବା ପକ୍ଷୀ ଗଣନାରେ ଏହି ପୋଖରୀକୁ ସାମିଲ କରାଯିବ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଜୟ କୁମାର ସ୍ୱାଇଁ ପୋଖରୀରେ ରହୁଥିବା ପକ୍ଷୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି । ପକ୍ଷୀମାନଙ୍କ ସୁରକ୍ଷା ପାଇ ଜଳାଶୟ ପାରିପାଶ୍ୱିର୍କ ସୁରକ୍ଷା ସହ ପ୍ରାକୃତିକ ବିବିଧତା ସୁରକ୍ଷା କରିବା ଜରୁରୀ ବୋଲି ସାମ୍ବାଦିକ ନରେଶ ପଟ୍ଟନାୟକ କହିଛନ୍ତି ।
