ଜାଡରେ ଥରୁଛି କେନ୍ଦୁଝର
କେନ୍ଦୁଝର : ହାଡ଼ଭଙ୍ଗା ଜାଡ଼ରେ ସାରା କେନ୍ଦୁଝର ଥରୁଥିବା ବେଳେ ଶୀତ ବଜାର ଗରମ ହୋଇଉଠିଛି । କେନ୍ଦୁଝର ସହରରେ ତାପମାତ୍ର ପାଖାପାଖି ୮ ଡିଗ୍ରି ଥିବା ବେଳେ କାଂଜିପାଣି, ବାଲାଣି, କିରିବୁରୁରେ ପାରଦ ଖସି ୩ ରୁ ୪ ଡିଗ୍ରିରେ ପହଂଚି ଯାଉଛି । ସନ୍ଧ୍ୟା ହେଲେ ଲୋକମାନେ ଶୀତରୁ ରକ୍ଷା ପାଇଁ ଘରୁ ବାହାରୁ ନାହାନ୍ତି । ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଲହରି ଲାଗିରହୁଛି । ଆଜି ଦିନ ତମାମ ମେଘୁଆ ପାଗ ହୋଇଥିବା ବେଳେ ଶୀତଲହରି ଜାରି ରହିଥିଲା । କେନ୍ଦ୍ରୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜିକେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ ୮.୮ ଡିଗ୍ରି ସେଲ ସେଲସିୟସ ହୋଇଥିବା ବେଳେ ଗତକାଲି ୮.୪ ଡିଗ୍ରି ସେଲସିୟସ ରହିଥିଲା । ୧୯ ତାରିଖରେ ତାପମାତ୍ରା ୭.୬ ଡିଗ୍ରି, ୧୮ ତାରିଖରେ ୯.୮ ଡିଗ୍ରି ସେଲସିୟସ ଓ ୧୭ ତାରିଖରେ ୧୧.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଆଗକୁ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ସକାଳେ ଏବ˚ ସନ୍ଧ୍ୟାରେ ନିଆଁ ପୁଇଁ ହେଉଥିବା ନଜରକୁ ଆସୁଛି । ସେପଟେ ଶୀତ ବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି । କେନ୍ଦୁଝର ସହରର ବିଭିନ୍ନ ରାସ୍ତାକଡ଼ରେ ଶୀତବସ୍ତ୍ରର ପସରା ମେଲିଥିବା ବେଳେ ବିଭିନ୍ନ ସୋରୁମରେ ମଧ୍ୟ ଶୀତବସ୍ତ୍ର ବିକ୍ରି ହେଉଛି ।
