କାନପୁର ହିଂସାକାଣ୍ଡ : ୪୦ ଜଣଙ୍କ ଫଟୋ ଜାରି କଲା ୟୁପି ପୁଲିସ୍
କାନପୁର: ବିଜେପିର ଜଣେ ମୁଖପାତ୍ର ମହାପୁରୁଷ ମହମଦ୍ଙ୍କ ବିଷୟରେ ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଉତର ପ୍ରଦେଶର କାନପୁରରେ ସଂଘଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୪୦ ଜଣ ଆନ୍ଦୋଳନକାରୀଙ୍କ ଫଟୋ ଜାରି କରିଛି ଉତରପ୍ରଦେଶ ପୁଲିସ୍ । ପୁଲିସ୍ ସିସିଟିଭି ଭିଡିଓ ଫୁଟେଜ୍ ଜରିଆରେ ଆନ୍ଦୋଳନକାରୀମାନଙ୍କୁ ଚିହ୍ନିବାରେ ସମର୍ଥ ହୋଇଛି ।

ପୁଲିସ ଏମାନଙ୍କ ଫଟୋ ଜାରି କରିବା ସହ ଆନ୍ଦୋଳନରେ ଏହି ବ୍ୟକ୍ତିମାନେ ସକ୍ରିୟ ରହି ଅନେକ ଲୋକଙ୍କୁ କ୍ଷତି ପହଂଚାଇଥିବା ସୂଚନା ଦେଇଛି । ପୁଲିସ୍ ଏହି ୪୦ ଜଣଙ୍କ ଫଟୋ ଜାରି କରିବା ସହ ଆହୁରି ବି କହିଛି ଯେ ଯେଉଁମାନେ ଏହି ଆନ୍ଦୋଳନକାରୀମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବେ ସେମାନଙ୍କ ନାମ ଗୋପନ ରଖାଯିବ । ଏହି ୪୦ ଜଣଙ୍କ ଫଟୋକୁ ହୋର୍ଡିଂ କରାଯାଇ ପ୍ରଭାବିତ ଅଂଚଳରେ ଲଗାଇବାକୁ ପୁଲିସ୍ ଯୋଜନା କରିଛି । ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଜ୍ଞାନବାପି ମସ୍ଜିଦ୍ ମାମଲାରେ ଏକ ଟେଲିଭିଜନ୍ ଚାନେଲ୍ରେ ବିତର୍କ ଚାଲିଥିବା ବେଳେ ବିଜେପିର ମୁଖପାତ୍ରୀ ନୂପୁର ଶର୍ମା ମହାପୁରୁଷ ମହମ୍ମଦଙ୍କ ସଂକ୍ରାନ୍ତରେ ଅସମ୍ମାନଜନକ ମନ୍ତବ୍ୟ ଦେଇଛନ୍ତି ବୋଲି ଅଭିଯୋଗ କରି ବଜାର ବନ୍ଦ କରିବାକୁ କହିବାରୁ ଶୁକ୍ରବାର ନମାଜ ପରେ କାନପୁରରେ ଦୁଇ ଗୋଷ୍ଠୀର ବ୍ୟକ୍ତିମାନେ ସଂଘର୍ଷ କରି ପରସ୍ପର ଉପରକୁ ଟେକାପଥର ପକାଇଥିଲେ । ଏହି ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୩୬ ଜଣଙ୍କୁ ଏଯାବତ୍ ଗିରଫ କରାଯାଇଛି ବୋଲି ପୁଲିସ୍ ସୂଚନାରୁ ଜାଣିବାକୁ ମିଳିଛି । ଏବେ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବା ପରେ ତଦନ୍ତ ଆହୁରି ଜୋର୍ ଧରିବ ।
