କାନପୁର ଟେଷ୍ଟ : ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
କାନପୁର : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ପ୍ରଥମ ଟେଷ୍ଟ ମ୍ୟାଚ ଜାରି ରହିଛି । ଏଥିରେ କିଓ୍ୱି ବୋଲରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । କିଓ୍ୱି ବୋଲରଙ୍କ ପେସ୍ ବୋଲିଂ ଆଗରେ ପ୍ରଥମ ଦିନରେ ଭଲ ବ୍ୟାଟିଂ କରିଥିବା ଭାରତୀୟ ଖେଳାଳି ଦ୍ୱିତୀୟ ଦିନରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଫଳରେ ପ୍ରଥମ ଇନିଂସରେ ଭାରତ ୩୪୫ ରନରେ ଅଲଆଉଟ ହୋଇଯାଇଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଶୁଭମାନ ଗିଲ, ଶ୍ରେୟସ୍ ଆୟର ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦୃଢ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମରୁ କିଛିଟା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଶେଷରେ ଶ୍ରେୟସ ଆୟର ଏବଂ ଜାଡେଜାଙ୍କ ଅପରାଜିତ ଅର୍ଦ୍ଧଶତକ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛି । ଆଲୋକ ସମସ୍ୟା ଯୋଗୁଁ ପ୍ରଥମ ଦିନ ୮୪ ଓଭର ହିଁ ଖେଳ ହୋଇଛି । ଟିମ ଇଣ୍ଡିଆ ପକ୍ଷରୁ ଓପନର ମୟଙ୍କ ଅଗ୍ରଓ୍ବାଲ ନିରାଶ କରିଛନ୍ତି । ସେ ମାତ୍ର ୧୩ ରନ କରି ଆଉଟ ହୋଇଛନ୍ତି । ଅନ୍ୟତମ ଓପନର ଶୁଭମାନ ଗିଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ୯୩ ବଲରୁ ୫ ଚୌକା ଏବଂ ଗୋଟିଏ ଛକା ବଳରେ ୫୨ ରନକରି ଆଉଟ ହୋଇଛନ୍ତି । ଚେତେଶ୍ବର ପୁଜାରା ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିନପାରି ୨୬ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ୩୫ରନ କରି ସେଟ୍ ହୋଇଥିଲେ ସୁଦ୍ଧା ବଡ ସ୍କୋର କରିପାରିନାହାନ୍ତି । ଶ୍ରେୟସ୍ ଆୟର ୧୩୬ ବଲ ଖେଳି ୭ ଚୌକା ଏବଂ ୨ଟି ଛକା ସହାୟତାରେ ୭୫ ରନ କରି ଅପରାଜିତ ଥିବା ବେଳେ ଅଲରାଉଣ୍ଡର ତଥା ଭେଟେରାନ୍ ରବିନ୍ଦ୍ର ଜାଡେଜା ଚମତ୍କାର ଇନିଂସ ଖେଳି ୧୦୦ ବଲରୁ ୬ଚୌକା ସହାୟତାରେ ୫୦ ରନକରି ଅପରାଜିତ ଥିଲେ । ଏହାପରେ ଦ୍ୱିତୀୟ ଦିନରେ ଶ୍ରେୟସ ଆୟର ଶତକ ଲଗାଇଥିଲେ । ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ବଡ ସ୍କୋର କରିବାରେ ସମର୍ଥ ହୋଇନଥିଲେ । ରବିନ୍ଦ୍ର ଜାଡେଜା ୫୦ ରନ୍ କରି ପ୍ୟାଭିଲି.ନ ଫେରିଥିଲେ । ରିଦ୍ଧିମାନ ଶାହ ୧ ଓ ଅକ୍ଷର ପଟେଲ ୩ ରନ୍ କରି ଦର୍ଶକଙ୍କୁ ନିରାଶ କରିଥିଲେ । ତେବେ ଆର ଅଶ୍ୱିନ ୩୮ ରନର ଇନିଂସ ଖେଳିଥିଲେ । ସେହିପରି ଉମେଶ ଯାଦବ ୧୦ ରନ୍ କରିଥିବା ବେଳେ ଇଶାନ୍ତ ଶର୍ମା ୦ ରନରେ ଆଉଟ ହୋଇଥିଲେ । ଫଳରେ ଭାରତ ୩୪୫ ରନ୍ କରିପାରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଥିବା ବେଳେ କାଇଲ୍ ଜାମିସନ ୩ ଓ ଏଜାଜ ପଟେଲ ୨ଟି ଓ୍ୱିକେଟ୍ ନେଇଥିଲେ ।
