ପରଲୋକରେ କନ୍ନଡ଼ ସିନେମାର ପାୱାର ଷ୍ଟାର ପୁନିତ ରାଜକୁମାର
ବାଙ୍ଗାଲୋର : ଫିଲ୍ମ ଜଗତକୁ ଆଉ ଏକ ଝଟକା । କନ୍ନଡ ସିନେମାର ପାୱାର ଷ୍ଟାର କୁହାଯାଉଥିବା ଅଭିନେତା ପୁନିତ ରାଜକୁମାରଙ୍କ ଆଜି ଦେହାନ୍ତ ହୋଇଛି। ପୁନିତ ରାଜକୁମାର ମାତ୍ର ୪୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥଲା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପୁନିତ ରାଜକୁମାରଙ୍କ ପରଲୋକ ଘଟିଛି। ଏନେଇ କ୍ରିକେଟର ଭେଙ୍କଟେଶ ପ୍ରସାଦ ଟ୍ୱିଟ କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଅଭିନେତା ରାଜକୁମାର ଏବଂ ପାର୍ବତମ୍ମାଙ୍କ ପୁତ୍ର ପୁନିତ ରାଜକୁମାର ୨୯ରୁ ଅଧିକ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ । ସେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିସହିତ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ତାଙ୍କ ପ୍ରଥମ ଚଳଚ୍ଚିତ୍ରର ନାମ ଥିଲା ‘ବେଟାଡା ହୁଭୁ’, ଯାହା ୧୯୮୫ ରେ ମୁକ୍ତିଲାଭ କରିଥିଲା । କେବଳ ଏତିକି ନୁହେଁ, ସେ ଫିଲ୍ମ ଚଲିସୁଭା ମୋଡାଗାଲୁ ଏବଂ ୟେରାଡୁ ନକ୍ଷତ୍ରଗାଲୁରେ ଶ୍ରେଷ୍ଠ ଶିଶୁ କଳାକାର ଭାବେ କର୍ଣ୍ଣାଟକ ରାଜ୍ୟ ପୁରସ୍କାର ପାଇଥିଲେ। ପୁନିତ ଆପୁ ଭାବରେ ସାରା ଦେଶରେ ପ୍ରସିଦ୍ଧ । ସେ ‘ଅଭି’, ‘ଭେରା କନ୍ନଡିଗା’, ‘ଅଜୟ’, ‘ଆରାସୁ’, ‘ରାମ’, ‘ହୁଡୁଗୁରୁ’ ଏବଂ ‘ଅଞ୍ଜାନୀ ପୁତ୍ର’ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ର ପାଇଁ ଜଣାଶୁଣା। ତାଙ୍କୁ ଶେଷ ଥର ପାଇଁ ‘ଯୁବାରଥନା’ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିଥିଲା ।
