ଆଜିଠୁ ରାଜ୍ୟରେ କାଳବୈଶାଖୀ, ଏହି ସବୁ ଜିଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆଜିଠୁ ରାଜ୍ୟରେ କାଳବୈଶାଖୀ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ପରିପ୍ରେକ୍ଷୀରେ ସୋମବାର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଆଶଙ୍କା। କାଳବୈଶାଖୀ ପ୍ରଭାବରେ ମଙ୍ଗଳବାରଠୁ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ ବଙ୍ଗୋପସାଗର ଉପକୂଳସ୍ଥ ଗୁରୁଚାପ ବଳୟ ଏବଂ ବାୟୁମଣ୍ଡଳର ଉପରିଭାଗରେ ଏକ ନିମ୍ନ ଚାପ ରେଖା ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖ ବେଳକୁ କେତେକ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ମଧ୍ୟ ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସମୟରେ ନିଜକୁ ନିରାପଦ ସ୍ଥାନରେ ସୁରକ୍ଷିତ କରିବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ଗଛ ତଳ, ବିଦ୍ୟୁତ ଖୁଣ୍ଟ ବା ତାର ତଳେ କିମ୍ବା ଖୋଳା ଆକାଶ ତଳେ ନ ରହି ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।
୧୮ରୁ ୧୯ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୋଳ, ଢେଙ୍କାନାଳ ଏବଂ ଦେବଗଡ଼ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ମାର୍ଚ୍ଚ ୧୯ ତାରିଖ ସକାଳ ୮ଟା ୩୦ରୁ ୨୦ ତାରିଖ ସକାଳ ମଧ୍ୟରେ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, ନବରଙ୍ଗପୁର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା, କୁଆପଥର ବର୍ଷା, ଝଡ଼ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟ ମଧ୍ୟରେ ଢେଙ୍କାନାଳ, କଟକ, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍ ୨୧ ତାରିଖ ସକାଳ ମଧ୍ୟରେ କଟକ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଏବଂ କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାରରେ ୩୦ରୁ ୪୦ କିମି ବେଗରେ ପବନ ଏବଂ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ୫୯ ମି,ମି., ଗାଇସିଲଟରେ ୫୫ ମି.ମି., ବୁଗୁଡ଼ାରେ ୫୩ ମି.ମି., ପୋଲସରାରେ ୩୫.୬ ମି.ମି., ବହଳଦାରେ ୩୦.୪ ମି.ମି., ବାଲିଶଙ୍କରାରେ ୨୫ ମି.ମି., ରାସଗୋବିନ୍ଦପୁରରେ ୨୪ ମି.ମି., ଭୋଗରାଇରେ ୨୨ମି.ମି., ଆସିକାରେ ୨୦.୨ ମି.ମି ଏବଂ ଯୋଡାରେ ୨୦.୧ ମି.ମି. ବର୍ଷା ରେକର୍ଡ଼ ହୋଇଛି।
