ନାବାଳକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
କେନ୍ଦୁଝର : କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ମଇଦାନକେଲ ପଞ୍ଚାୟତ ଦେଓବନ୍ଧ ଗ୍ରାମରେ ଅଭାବନୀୟ ଘଟଣା । ଗଛରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର । ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଯେ, ଦେଓବନ୍ଧ ଗ୍ରାମର ମୁଖ୍ୟ ରାସ୍ତା କଡରେ ଥିବା ଏକ ଗଛ ଡାଳରେ ଜଣେ ନାବାଳକ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ନାବାଳକ ହେଲେ ଅଜୁ ମୁଣ୍ଡା । ତାଙ୍କ ଘର ମୟୂରଭଞ୍ଜ ଜିଲାର ରରୁଆଁ ଥାନା ଅନ୍ତର୍ଗତ ରାଇଡିହା ଅଞ୍ଚଳରେ । ସେ ୨୦ ଦିନ ତଳେ ଘରୁ ଆସି ସଦର ଥାନା ଅନ୍ତର୍ଗତ ବାରଖଣ୍ଡିଆ ଗ୍ରାମର ଲମ୍ବୋଧର ମହାନ୍ତଙ୍କ ଘରେ ଛେଳି ଚରାଉ ଥିଲେ । ତେବେ ଅଜୁ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
