ଦୁର୍ବୃତ୍ତଙ୍କ ଉନୁକ୍ତ କାଣ୍ଡ : ବାଇକରେ ଯାଉଥିବା ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ ଓ ହାର, ତଳେ ପଡି ମହିଳା ଆହତ
ଯାଜପୁର : ଦୁର୍ବୃତ୍ତଙ୍କ ଉନୁକ୍ତ କାଣ୍ଡ। ବାଇକରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଓ ହାର ଝାମ୍ପିନେଲେ ଦୁର୍ବୃତ୍ତ । ମହିଳା ଜଣଙ୍କ ହେଉଛନ୍ତି ଧର୍ମଶାଳା ଗଡ଼ମାଧୁପୁର ଗାଁର ସୁବ୍ରତ ବାରିକଙ୍କ ସ୍ତ୍ରୀ ରଶ୍ମିତା ବାରିକ । ଏହି ଅଘଟଣରେ ମହିଳା ଜଣଙ୍କ ବାଇକରୁ ପଡି ଆହତ ହୋଇଛନ୍ତି । ମହିଳାଙ୍କୁ ଆହତ ଅବସ୍ଥାରେ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଘଟଣ ।
ସୂଚନା ଯେ, ରଶ୍ମିତା ନିଜ ଦୁଇ ପିଲାଙ୍କୁ ଧରି ଶ୍ବଶୁର ଘର ଛତିଆ ଯିବା ସମୟରେ କେହି ଦୁର୍ବୃତ୍ତ ଏକ ଧଳା ରଙ୍ଗର ଅପାଚି ଗାଡ଼ିରେ ସେମାନଙ୍କ ପିଛା କରିଥିଲେ । ସୁଯୋଗ ଦେଖି ଦୁର୍ବୃତ୍ତ ଜଣଙ୍କ ଗାଡି ପଛରେ ବସିଥିବା ରଶ୍ମିତାଙ୍କ ବେକରୁ ସୁନା ହାର ଓ ଚେନ୍ ଝାମ୍ପି ନେଇଥିଲା । ଯାହା ଫଳରେ ରଶ୍ମିତା ଗାଡ଼ିରୁ ତଳକୁ ଖସିପଡ଼ିଥିଲେ । କିଛି ବାଟ ଯାଇ ରଶ୍ମିତାଙ୍କ ସ୍ବାମୀ ଗାଡି ରୋକି ଦେଖିବାରୁ ଘଟଣାସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ ମାରିଥିଲା । ନିକଟରେ ଥିବା ଲୋକେ ଏହା ଦେଖି ତୁରନ୍ତ ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ଧର୍ମଶାଳା ପୋଲିସ ପହଞ୍ଚି ଆହତ ରଶ୍ମିତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଲେ । ଏ ନେଇ ଧର୍ମଶାଳା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
