ଆଜି ଭବାନୀପାଟଣାରେ ମହାଜନସମ୍ପର୍କ ସମାବେଶରେ ଉଦବୋଧନ ଦେବେ ଜେ.ପି. ନଡ୍ଡା
କଳାହାଣ୍ଡି : ଆଜି କଳାହାଣ୍ଡି ଜିଲାକୁ ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଭବାନୀପାଟଣାରେ ୧୧ ଟାରେ ହେଲିକପ୍ଟର ଯୋଗେ ପହଞ୍ଚି ମା ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ପରବର୍ତ୍ତୀ ସମୟରେ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନସମ୍ପର୍କ ସମାବେଶରେ ଯୋଗ ଦେବେ । ଏହାପରେ ସର୍କିଟ ହାଉସରେ ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ବୁଦ୍ଧିଜୀବୀଙ୍କୁ ଭେଟିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଶେଷରେ ଭବାନୀପାଟଣା ଟାଉନ ହଲରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ କରିବେ ଆଲୋଚନା ।
ଆଜି ହିଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ । ବିମାନବନ୍ଦରରୁ ପଣ୍ଡ୍ରି ପଥରସ୍ଥିତ ଯିବା ବାଟରେ କିସାନ ଛକଠାରେ ଦଳୀୟ କର୍ମକର୍ତା ନଡ୍ଡାଙ୍କୁ ସ୍ୱାଗତ କରିଥିଲେ । ନୂଆ ବିଜେପି ଅଫିସ ଉଦଘାଟନ ପରେ ବରଗଡ଼ ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଛନ୍ତି ଜେ.ପି ନଡ୍ଡା । ଆଗାମୀ ବର୍ଷ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ନଡ୍ଡାଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।
ସୂଚନା ଯେ, ଗୁରୁବାର ଝାରସୁଗୁଡା ବିମାନ ବନ୍ଦରରେ ପହଁଚିବା ପରେ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଝାରସୁଗୁଡ଼ା ବିଜେପିର ନୂଆ କାର୍ଯ୍ୟାଳୟ ଉଦଘାଟନ କରିଥିଲେ ନଡ୍ଡା । ଏହାସହ ବରଗଡ଼ ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତୃ ମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ ଜେ.ପି. ନଡ୍ଡା । ସଂଗଠନ ମଜଭୁତ, ମିଶ୍ରଣ ପର୍ବ, ସମନ୍ବୟ ରକ୍ଷା ପରି ୧୦ ଟି ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
