ଭିଜିଲାନ୍ସ ଜାଲରେ ଓଏମଭିଡି ଏଏସ୍ଆଇ
ଝାରସୁଗୁଡ଼ା : ଭିଜିଲାନ୍ସ ଜାଲରେ ଆଉ ଜଣେ ପୋଲିସ କର୍ମଚାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏମଭିଡି ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଚଢାଉ ବେଳେ ଏଏସଆଇଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ନଗଦ ୪ଲକ୍ଷ ୪୬ହଜାର ଟଙ୍କା ମିଳିଥିବା ସୂଚନା ରହିଛି । ଏହି ରେଡରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ ।
ଝାରସୁଗୁଡ଼ା ଜିଲାର ଓଡ଼ିଶା ମୋଟର ଭେହିକିଲ ଡିପାର୍ଟମେଣ୍ଟ (ଓଏମଭିଡି)ର ଏଏସଆଇ ହରେକୃଷ୍ଣ ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ନାୟକଙ୍କ ଘରେ ରେଡ୍ କରାଯାଇଥିବା ଜଣାପଡ଼ିଛି । ଶ୍ରୀ ନାୟକଙ୍କର କଟକର ଫ୍ରେଣ୍ଡସ କଲୋନୀର ଦୁଇମହଲା ଘର, ପୁରୀରେ ଥିବା ପୈତୃକ ଘର, ଝାରସୁଗୁଡ଼ାରେ ଥିବା ଆରଟିଓ ଅଫିସ, ଝାରସୁଗୁଡ଼ାରେ ଥିବା ଭଡ଼ାଘର, ଗଞ୍ଜାମରେ ଥିବା ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁରର ରାମନଗରରେ ଥିବା ଦୁଇ ମହଲା ଘରରେ ରେଡ୍ କରାଯାଇଥିଲା । ଗତକାଲି ଟିପିସିଓଡିଏଲ ବୋରିଗୁମ୍ମାର ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଉକ୍ତ ଯନ୍ତ୍ରୀ ଜଣଙ୍କ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।
