ବିପଦ ସଂକେତ ଉପରେ ଜଳକା, ଭୟଭୀତ ଚାଷୀ କୁଳ
ବାଲେଶ୍ୱର : ପୁଣି ବିପଦ ସଂକେତ ଉପରେ ଜଳକା । ଜଳକା ନଦୀରେ ବନ୍ୟା ଜଳ ପ୍ରବାହିତ ହେବ ପରେ ଏବେ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ । ଏନେଇ ଭୟଭୀତ ଅବସ୍ଥାରେ ଚାଷୀ କୁଳ । ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୧୧ଟା ସୁଧା ୫.୮୬ମିଟର ଉପରେ ପ୍ରବାହିତ ହେଉଛି ନଦୀ । ଏପରିକି ବସ୍ତା ଅଞ୍ଚଳରେ ଲଘୁଚାପ ବର୍ଷା ଲାଗି ରହିଥିବା ସହ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ଦେଖାଦେଇଛି । ତଳତାପଣ୍ଡା ନଦୀବନ୍ଧ ସମ୍ପୂର୍ଣ୍ଣ ଦୁର୍ବଳ ଥିବାର ନଦୀକୁଳିଆ ବାସୀଙ୍କ ମନରେ ଛନକା ପଶିଛି । ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା ହେବା କାରଣରୁ ଅଧିକରୁ ଅଧିକ ପାଣି ପ୍ରବାହିତ ହେଉଛି । ଗତ କିଛି ଦିନ ତଳେ ଭୟଙ୍କର ବନ୍ୟା ଯାଇଥିଲା ବେଳେ ପୁଣି ଜଳକାନଦୀ ଫୁଲିବା ପରେ ବନ୍ୟା ସ୍ଥିତି ଉପୁଜିଛି ।
ତେବେ ବନ୍ୟା ଯୋଗୁଁ ବସ୍ତା ବ୍ଲକର ୧୨ଟି ପଞ୍ଚାୟତ ପତ୍ରଝଡ଼ା, ସଦାନନ୍ଦ ପୁର,ବାହାର୍ଦା,ମଥାନୀ,ଦୁଧହଂସା, ରାଉତପଡା, ଗଡପଦା, କୁଡିଆ, ବାସିଚକୁରାଇ, ଦରଡା, ବ୍ରାହ୍ମଣଦା ପ୍ରଭାବିତ ହୋଇଛି । ସେହିପରି ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ରସୁଲପୁର ଏବଂ ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପ୍ରାୟ ୨୦୦ ଏକର ଜମିରେ ପାଣି ମାଡିଯାଇଥିବା ଦେଖିବାକୁ ମିଳିଛି ।
