ଜେଲେନସ୍କିଙ୍କ ବଡ଼ ପଦକ୍ଷେପ ! ଭାରତ ସମେତ ୫ ଦେଶର ରାଷ୍ଟ୍ରଦୂତଙ୍କୁ କଲେ ବରଖାସ୍ତ, ଜାଣନ୍ତୁ ଏହା ପଛର କାରଣ
In this photo provided by the Ukrainian Presidential Press Office, Ukrainian President Volodymyr Zelenskyy addresses the nation in Kyiv, Ukraine, late Monday, March 7, 2022. (Ukrainian Presidential Press Office via AP)
ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ଭାରତ ସମେତ ପାଞ୍ଚଟି ଦେଶରେ କାର୍ଯ୍ୟରତ ଥିବା ୟୁକ୍ରେନର ରାଷ୍ଟ୍ରଦୂତମାନଙ୍କୁ ବରଖାସ୍ତ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତିଙ୍କ ଅଫିସିଆଲ ୱେବସାଇଟରେ ପ୍ରକାଶିତ ବୟାନ ଅନୁଯାୟୀ ଏହି ଦେଶଗୁଡ଼ିକରେ ଜର୍ମାନୀ, ଭାରତ, ଚେକ୍ ରିପବ୍ଲିକ୍, ନରୱେ ଏବଂ ହଙ୍ଗେରୀ ସାମିଲ ରହିଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଜର୍ମାନୀରେ ଅବସ୍ଥାପିତ ୟୁକ୍ରେନର ବରିଷ୍ଠ ରାଷ୍ଟ୍ରଦୂତ ଆଣ୍ଡ୍ରେ ମେଲନିକଙ୍କ ବରଖାସ୍ତ । ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନେଇ ସେ ସର୍ବାଧିକ ସ୍ୱର ଉତ୍ତୋଳନ କରିଥିଲେ । ଏହି ରାଷ୍ଟ୍ରଦୂତଙ୍କ ବରଖାସ୍ତର କାରଣ କୁହାଯାଇ ନାହିଁ । ଏହାସହ ଏହି କୂଟନୀତିଜ୍ଞମାନଙ୍କୁ କୌଣସି ନୂତନ ଦାୟିତ୍ୱ ଦିଆଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଜେଲେନସ୍କି କାହିଁକି ହଟାଇଲେ ରାଷ୍ଟ୍ରଦୂତ?
ଚଳିତ ବର୍ଷ ଫେବୃଆରୀ ୨୪ରୁ ଋଷର ଆକ୍ରମଣରେ ସାମ୍ନା କରୁଥିବା ୟୁକ୍ରେନକୁ ସହାୟତା ପାଇଁ ଜେଲେନସ୍କି କ୍ରମାଗତ ଭାବରେ ଅପିଲ୍ କରିଛନ୍ତି । ସେ ନିଜ ଦେଶର କୁଟନୀତିଜ୍ଞମାନଙ୍କୁ ମଧ୍ୟ ସାରା ଦୁନିଆରେ ୟୁକ୍ରେନ ପାଇଁ ଅନ୍ତର୍ଜାତୀୟ ସମର୍ଥନ ତଥା ସାମରିକ ସହାୟତା ଏକାଠି କରିବାକୁ ଅନୁରୋଧ କରିଛନ୍ତି । ଏହି ମିଶନରେ ବିଫଳତା ଯୋଗୁଁ ଜେଲେନସ୍କି ତାଙ୍କର ୫ ଜଣ ରାଷ୍ଟ୍ରଦୂତଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି ବୋଲି ମନେ କରାଯାଉଛି । ତେବେ ଏପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ନୂତନ ରାଷ୍ଟ୍ରଦୂତ ନିଯୁକ୍ତ ହୋଇନାହାଁନ୍ତି ।
ଜର୍ମାନୀ ସହିତ ୟୁକ୍ରେନର ସମ୍ପର୍କ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଜର୍ମାନୀ ଋଷର ଶକ୍ତିର ବୃହତ୍ତମ କ୍ରୟକାରୀ ହେବା ବ୍ୟତୀତ ୟୁରୋପର ବୃହତ୍ତମ ଅର୍ଥ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ଏଭଳି ପରିସ୍ଥିତିରେ ଜର୍ମାନୀରେ ୟୁକ୍ରେନ ରାଷ୍ଟ୍ରଦୂତ ଆଣ୍ଡ୍ରେ ମେଲନିକଙ୍କ ବରଖାସ୍ତ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଆଣ୍ଡ୍ରେ ମେଲନିକଙ୍କୁ ଜେଲେନସ୍କିଙ୍କ ପୂର୍ବ ସରକାର ୨୦୧୪ ଶେଷରେ ଜର୍ମାନୀରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଥିଲେ । ବର୍ଲିନରେ ରାଜନେତା ଓ କୂଟନୀତିଜ୍ଞଙ୍କ ମଧ୍ୟରେ ମେଲନିକ୍ ବେଶ୍ ପ୍ରସିଦ୍ଧ ।
ଭାରତରୁ ମଧ୍ୟ ୟୁକ୍ରେନକୁ ମିଳିନାହିଁ ଆଶା ଅନୁରୂପ ସହାୟତା :
ଋଷ ସହିତ ଯୁଦ୍ଧରେ ୟୁକ୍ରେନର ଇଚ୍ଛା ଥିଲା ଭାରତ ତାକୁ ସମସ୍ତ ପ୍ରକାରର ସାହାଯ୍ୟ କରୁ । କିନ୍ତୁ ଋଷକୁ ବିରୋଧ କରି କୌଣସି ଦେଶକୁ ସମର୍ଥନ କରିବ ନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରିସାରିଛନ୍ତି । କେବଳ ଏତିକି ନୁହେଁ, ପ୍ରତ୍ୟେକ ଥର ଭାରତ ମିଳିତ ଜାତିସଂଘରେ ଋଷ ବିରୋଧରେ ଆଣିଥିବା ପ୍ରସ୍ତାବ ଉପରେ ଭୋଟିଂକୁ ବୟକଟ୍ କରିଥିଲା । ଏହି କାରଣରୁ ୟୁକ୍ରେନ ଅନେକ ଥର ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲା । ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ଆରମ୍ଭରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ ଓ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଅପିଲ କରିଥିଲେ ।
