ମାଡ଼ି ଆସୁଛି ‘ଜୱାଦ’ ! ଆସନ୍ତୁ ଜାଣିବା ବାତ୍ୟା ପୂର୍ବରୁ ଓ ପରେ କ’ଣ କରିବା ଉଚିତ ଓ କ’ଣ ଅନୁଚିତ?
ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଏହା ସ୍ଥଳଭାଗ ଆଡ଼କୁ ମୁହାଉଛି । ବର୍ତ୍ତମାନ ସମୟରେ ଗୋପାଳପୁରରୁ ୩୬୦ କିଲୋମିଟର ଓ ପୁରୀରୁ ୪୩୦ କିଲୋମିଟର ଏବଂ ପାରାଦୀପରୁ ୫୧୦ କିଲୋମିଟର ଦୂରରେ ଏହା ରହିଛି । ସେହିପରି ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରୁ ୨୫୦ କିଲୋମିଟର ଦୂରରେ ଏହା ରହିଛି । ୫ ତାରିଖ ମଧ୍ୟାହ୍ନ ବେଳକୁ ଏହା ପୁରୀ ନିକଟରେ ଉପକୂଳ ଛୁଇଁପାରେ । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଗାମୀ ସମୟରେ ପ୍ରବଳରୁ ଅତି ବର୍ଷା ହେବା ସହ ଦ୍ରୁତ ଗତିରେ ପବନ ବହିବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ । ଏହି ସମୟରେ ଆସନ୍ତୁ ଜାଣିବା କ’ଣ କରିବା ଉଚିତ ଆଉ କ’ଣ ନୁହେଁ…
ବାତ୍ୟା ପୂର୍ବରୁ କ’ଣ କରିବା ଉଚିତ :
ଗୁଜବରୁ ଦୂରେଇ ରୁହନ୍ତୁ । ବିଭ୍ରାନ୍ତ ହୁଅନ୍ତୁ ନାହିଁ । ଅଧିକ ଭୟଭୀତ ହେବାର ଆବଶ୍ୟକତା ନାହିଁ ।
ମୋବାଇଲକୁ ଚାର୍ଜ କରି ନିଅନ୍ତୁ ।
ରେଡିଓ ଶୁଣନ୍ତୁ, ଟିଭି ଦେଖନ୍ତୁ, ଖବର କାଗଜ ପଢ଼ନ୍ତୁ ଏବଂ ସମସୟରେ ଆଇଏମଡି ଦ୍ୱାରା ଦିଆଯାଉଥିବା ପାଣିପାଗ ସୂଚନା ଉପରେ ନଜର ରଖନ୍ତୁ ।
ନିଜର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପଲିଥିନ ଭିତରେ ସାଇତି ରଖନ୍ତୁ ।
ଘରକୁ ଠିକ ଭାବେ ଯାଞ୍ଚ କରିନିଅନ୍ତୁ, ଢିଲା ଟାଇଲ୍ ଗୁଡିକୁ ସୁରକ୍ଷିତ କରନ୍ତୁ, କବାଟ ଏବଂ ଝରକା ମରାମତି କରିନିଅନ୍ତୁ ।
ଗୃହପାଳିତ ପଶୁଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରନ୍ତୁ ।
ବାତ୍ୟା ପରେ କ’ଣ କରିବା ଉଚିତ :
ଘରରେ ଥିବା ବିଜୁଳିର ମୁଖ୍ୟ ସୁଇଚକୁ ବନ୍ଦ କରିଦିଅନ୍ତୁ । ଏହାସହ ଗ୍ୟାସକୁ ବନ୍ଦ କରନ୍ତୁ ।
ଘରର ଦ୍ୱାର ଓ ଝରକାକୁ ବନ୍ଦ କରିଦିଅନ୍ତୁ ।
ଯଦି ଆପଣଙ୍କ ଘର ସୁରକ୍ଷିତ ନୁହେଁ, ତେବେ ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ ।
ଲଗାତର ରେଡିଓରେ ପାଣିପାଗ ବିଭାଗ ଦ୍ୱାରା ଦିଆଯାଉଥିବା ସୂଚନାକୁ ଶୁଣନ୍ତୁ ।
ଫୁଟା ଓ କ୍ଲୋରିନଯୁକ୍ତ ପାଣି ପିଅନ୍ତୁ ।
କେବଳ ଆଧିକାରୀକ ସତର୍କତା ଉପରେ ବିଶ୍ୱାସ କରନ୍ତୁ ।
ଯଦି ଆପଣ ବାହାରେ ଅଛନ୍ତି ତେବେ ବିପଦ ଜନକ ଅବସ୍ଥାରେ ଥିବା ବିଲ୍ଡିଂ ଭିତରକୁ ପ୍ରବେଶ କରନ୍ତୁ ନାହିଁ ।
ଝୁଲୁଥିବା ବୈଦ୍ୟୁତିକ ତାରକୁ ସ୍ପର୍ଶ କରନ୍ତୁ ନାହିଁ, ସେଥିରେ ବିଦ୍ୟୁତ ପ୍ରବାହ ଥାଇପାରେ ।
ଯଥାଶୀଘ୍ର ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯାଆନ୍ତୁ ।
