ଜୱାଦ ପ୍ରଭାବ : ପ୍ରବଳ ବର୍ଷା ନେଇ ୯ ଜିଲାକୁ ଅରେଞ୍ଜ ଓ ୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ପୁରୀ ଅତିକ୍ରମ କଲା ବାତ୍ୟା ଜଓ୍ବାଦ୍ । ବର୍ତ୍ତମାନ ଏହା ପଶ୍ଚିମବଂଗ ଏବଂ ବାଙ୍ଗଲାଦେଶ ଆଡକୁ ମୁହାଁଇଛି । ତେବେ ଏହାର ପ୍ରଭାବରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ସେଥିପାଇଁ ପାଣିପାଗ ବିଭାଗ ୯ଟି ଜିଲାକୁ ଅରେଞ୍ଜ ଏବଂ ୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଞ୍ଜାମ, ନୟାଗଡ, କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅବପାତର ପ୍ରଭାବ କମି ନଥିବାରୁ ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇ ଥିବା ଭୁବନେଶ୍ବର ପାଣିପାଗ ତରଫରୁ କୁହାଯାଇଛି। ସୋମବାର ଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିବ । ଅଧିକାଂଶ ଜିଲାରେ ପାଗ ଶୁଖିଲା ରହିବ। ବର୍ଷା ପ୍ରଭାବରେ ପାଗ କୋହଲା ରହିବା ସହ ଶୀତ ଅନୁଭୂତ ହେବ। ହେଲେ ଉପକୂଳ ଓଡ଼ିଶାର କିଛି ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
