ଘରୋଇ ମାଟିରେ ଇତିହାସ ରଚିଲେ ବୁମରା
ବେଙ୍ଗାଲୁରୁ : ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ବଡ ଉପଲବ୍ଧି ହାସଲ କରିଛନ୍ତି । ବୁମରା ରବିବାର ବେଙ୍ଗାଲୁରୁର ଏନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍ରେ ଏହି କାରନାମା କରିଛନ୍ତି । ବୁମରା ଘାତକ ବୋଲିଂ କରି ୫ ୱିକେଟ୍ ଦଖଲ କରିଛନ୍ତି । ତାଙ୍କ ଶାଣିତ ବୋଲିଂ ଦମରେ ଭାରତ ଶ୍ରୀଲଙ୍କାକୁ ୧୦୯ ରନରେ ଅଲଆଉଟ୍ କରିଛି । ବୁମରା ୧୦ ଓଭର ବୋଲିଂ କରି ସେଥିରେ ୪ ମେଡେନ ସହିତ ମାତ୍ର ୨୪ ରନ ଦେଇଛନ୍ତି । ବୁମରା ଘରୋଇ ମଇଦାନରେ ପ୍ରଥମ ଥର ୫ ୱିକେଟ୍ ହାସଲ କରିଛନ୍ତି । ବୁମରାଙ୍କଠୁ ଆଗରେ ଅଛନ୍ତି ମହାନ ଅଲରାଉଣ୍ଡର କପିଲ୍ ଦେବ । ସେ ବୁମରାଙ୍କଠୁ ଅଧିକ ଗୋଟିଏ ଇନିଂସରେ ୫ ୱିକେଟ୍ ହାସଲ କରିଛନ୍ତି ।
ବୁମରା ନିଜର ଟେଷ୍ଟ କ୍ୟାରିୟରରେ ଏ ପର୍ଯ୍ୟନ୍ତ ଆଠ ଥର ୫ କିମ୍ବା ସେଥିରୁ ଅଧିକ ୱିକେଟ୍ ନେଇଛନ୍ତି । ସେ ୱେଷ୍ଟଇଣ୍ଡିଜି, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ଦୁଇ ଥର ଏବଂ ଅଷ୍ଟ୍ରେଲିଆ ବିରୋଧରେ ଥରୁଟିଏ ୫ ୱିକେଟ୍ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ କୌଣସି ଭାରତୀୟ ଦ୍ରୁତ ବୋଲରଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ଇଶାନ୍ତ ଶର୍ମା ୨୦୧୫ରେ ଶ୍ରୀଲଙ୍କା ବିପକ୍ଷରେ ୫୪ ରନ ଦେଇ ପାଂଚ ୱିକେଟ୍ ହାସଲ କରିଥିଲେ । ବୁମରାଙ୍କ ଦମଦାର ବୋଲିଂ ବଳରେ ଭାରତ ଶ୍ରୀଲଙ୍କାକୁ ପ୍ରଥମ ଇନିଂସରେ ୧୦୯ ରନରେ ଅଲଆଉଟ୍ କରିଛନ୍ତି । ଶ୍ରୀଲଙ୍କାର ଭାରତ ବିପକ୍ଷରେ ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର ।
