ଦାବିପୂରଣ ଲାଗି ଜଳେଶ୍ୱରର ଯୁବ-ଛାତ୍ର ମେଳି- ଆଞ୍ଚଳିକ ବିକାଶ ଲାଗି ସବ୍ଡିଭିଜନ୍ ଜରୁରୀ : ୪ ବ୍ଲକର ଯୁବ-ଏକତା ସମ୍ମିଳିତ ଆହ୍ୱାନ
ଜଳେଶ୍ୱର : ଉତ୍ତର ବାଲେଶ୍ୱରରେ ଜଳେଶ୍ୱରକୁ କେନ୍ଦ୍ର କରି ସମସ୍ତ ଭିତ୍ତିଭୂମୀ ଓ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ରାଜସ୍ୱ ବିଭାଗର ସବ୍ଡିଭିଜନ୍ ଘୋଷଣା ହୋଇନଥିବାରୁ ଆଞ୍ଚଳିକ ବିକାଶରେ ଅନ୍ତରାୟ ସୃଷ୍ଟି ହୋଇ ଆସୁଛି । ତେଣୁ ଆଜି ଜଳେଶ୍ୱରର ବହୁ ଯୁବ-ଛାତ୍ର ସମ୍ମିଳିତ ହୋଇ ୪ ବ୍ଲକର ଯୁବଶକ୍ତିକୁ ନେଇ ସବ୍ଡିଭିଜନ୍ ଘୋଷଣାର ଦାବି କରିଛନ୍ତି । ଜଳେଶ୍ୱର ନୂଆବଜାର ଠାରେ ଭଂଜ ଭବନ ପରିସରରେ ଆଜି ଜଳେଶ୍ୱରର ଯୁବ-ଛାତ୍ର ପକ୍ଷରୁ ଏକ ଯୁବ ସମ୍ମିଳନୀ ଆହ୍ୱାନ କରାଯାଇଥିଲା । ଏଥିରେ ପୂର୍ବତନ ଛାତ୍ରନେତା କାଳିଚରଣ ଦାସ ଅଧ୍ୟକ୍ଷତା କରିଥିଲେ । ଜଳେଶ୍ୱରରେ ପୁଲିସ୍ କାର୍ଯ୍ୟାଳୟ, ପୁର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନ, ଜଳ ସେଚନ, ପାନୀୟ ଜଳ ଯୋଗାଣ, କୃଷି, ବନ ବିଭାଗ, ଅବକାରୀ, ବିଦ୍ୟୁତ୍, ଉଠା ଜଳସେଚନ, କୋର୍ଟ, ସମସ୍ତ ବ୍ୟାଙ୍କ, ଟ୍ରେଜେରୀ, ଉପକାରାଗାର, ଟେଲିକମ୍ ଇତ୍ୟାଦି ସବ୍ଡିଭିଜନାଲ ସ୍ତରୀୟ ସମସ୍ତ କାର୍ଯ୍ୟାଳୟ ଥିବା ବେଳେ ଗ୍ରାମ୍ୟ ଉନ୍ନୟନ, କୃଷି, ଉଠାଜଳସେଚନ ଓ ବିଦ୍ୟୁତ୍ ବିଭାଗର ଜିଲ୍ଲାସ୍ତରୀୟ ଡିଭିଜନ୍ କାର୍ଯ୍ୟାଳୟ ମଧ୍ୟ ରହିଛି । ତେଣୁ ୧୯୭୮ ମସିହାରୁ ଜଳେଶ୍ୱରକୁ ସବ୍ଡିଭିଜ ଘୋଷଣା ଲାଗି ବିଧାନସଭା ଓ ବିଧାନସଭା ବାହାରେ ବିଭିନ୍ନ ଫୋରମ୍ ଦ୍ୱାରା ଦାବି କରାଯାଇ ଆସୁଛି । କିନ୍ତୁ ଅଦ୍ୟାବଧି ତାହା ହୋଇପାରିନଥିବା କୁହାଯାଇଥିବା ବେଳେ ଏବେ ଯୁବ ଛାତ୍ର ପକ୍ଷରୁ ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତାକୁ ନେଇ ଜଳେଶ୍ୱର ସବ୍ଡିଭିଜନ୍ ଘୋଷଣା ଲାଗି ଦାବି ଜୋର୍ ଧରିଛି । ଆୟୋଜିତ ସଭାରେ ହାଇକୋର୍ଟର ଆଇନ୍ଜିବୀ ରାମଚନ୍ଦ୍ର ଜେନା ଯୋଗ ଦେଇ ଭୌଗୋଳିକ ସ୍ଥିତି, ଉପାନ୍ତରେ ସୀମା ସମସ୍ୟା, ଲଘୁ ଖଣିଜପଦାର୍ଥ ଚୋରାଚାଲାଣ ରୋକିବା, ଚୋରା ନିଶାକାରବାର ରୋକିବା, ଦୈବଦର୍ବିପାକ ବେଳେ ପ୍ରଶାସନୀକ ତତ୍ପରତା ଲାଗି ଉପଜିଲାପାଳ କାର୍ଯ୍ୟାଳୟ ଏକାନ୍ତ ଜରୁରୀ ବୋଲି କହିଥିଲେ । ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ତଥା ସମିତି ସଦସ୍ୟ ବ୍ରଜମୋହନ ପ୍ରଧାନ ଯୋଗ ଦେଇ ସବ୍ଡିଭିଜନ୍ ଦାବିରେ ଯୁବ ଜାଗରଣ ଏକ ଶୁଭ ସୂଚନା ବୋଲି କହିଥିଲେ । ୪ ବ୍ଲକର କେନ୍ଦ୍ରସ୍ଥଳୀ ଜଳେଶ୍ୱରଠାରେ ସବ୍ଡିଭିଜନ୍ ଲାଗି ଯୁବଛାତ୍ର ସମ୍ମିଳିତ ଉଦ୍ୟମ ଲାଗି ରହିଲେ ଦାବି ପୂଣର ସମ୍ଭବ ବୋଲି କହିଥିଲେ । ଆଗାମୀ ଦିନରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରି ଜିଲାପାଳଙ୍କ ଜରିଆରେ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ, ଅବନୀ ଚାନ୍ଦ, ରବିନାରାୟଣ ପାତ୍ର, ମନୋଜ ପ୍ରଧାନ, ଦିଲ୍ଲିପ କୁମାର ଦାସ, ଦୀନବଂଧୁ ପ୍ରଧାନ, ରାଜେଶ ପ୍ରଧାନ, ସୁବ୍ରତ ଘୋଷ, ଆଲୋକ ଘଡେଇ, ସଂଜୟ ମହାନ୍ତି, ଲକ୍ଷ୍ମୀଧର ବେହେରା, ରାସବିହାରୀ ରଣା, ଚନ୍ଦନ କର, ସତ୍ୟଶୋଭନ ମିଶ୍ର ପ୍ରମୁଖ ଯୋଗଦେଇ ସବ୍ଡିଭିଜନ୍ ଦାବିକୁ ଉତ୍ଥାପନ କରିଥିଲେ।
