ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିସନର
ଭୁବନେଶ୍ୱର : ତାମିଲନାଡୁର ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ଆଗାମୀ ରାଜ୍ୟ ମୁଖ୍ୟ ସୂଚନା କମିସନର ହୋଇଛନ୍ତି । ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିଥିଲା। ପରେ ଏନେଇ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ ଏହି ପଦବି ଖାଲି ପଡ଼ିଥିଲା। ଏଥିପାଇଁ ଜୁଲାଇ ୩୧ରେ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ। ବୈଠକରେ ତାମିଲନାଡ଼ୁ କ୍ୟାଡରର ପୂର୍ବତନ ଆଇପିଏସ୍ ଅଫିସର ତଥା ଓଡ଼ିଆ ପୁଅ ଜଳଦ କୁମାର ତ୍ରିପାଠୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ସୂଚନା ଯେ, ତାମିଲନାଡୁ କ୍ୟାଡ଼ରର ଓଡ଼ିଆ ଆଇପିଏସ୍ ଶ୍ରୀ ତ୍ରିପାଠୀ ୨୦୨୧ ଜୁନ୍ ୩୦ତାରିଖରେ ପୋଲିସ ଡିଜି ପଦବୀରୁ ଅବସର ନେଇଥିଲେ । ପୂର୍ବରୁ ସେ ଚେନ୍ନାଇ ପୋଲିସ କମିଶନର ଭାବେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ୨୦୦୮ ମସିହାରେ ସେ ପ୍ରଥମ ପୋଲିସ୍ ଭାବେ ପବ୍ଲିକ ଆଡମିନିଷ୍ଟ୍ରେସନରେ ଉଲ୍ଲେଖନୀୟ ସେବା ପାଇଁ ‘ପ୍ରଧାନମନ୍ତ୍ରୀ ଆୱାର୍ଡ’ରେ ସମ୍ମାନିତ ହୋଇଥିଲେ । ଶ୍ରୀ ତ୍ରିପାଠୀଙ୍କ ଘର କଟକ ଜିଲାର ସାଲେପୁର ବ୍ଲକର ଭେଡ଼ା ଗାଁରେ ବୋଲି ସୂଚନା ମିଳିଛି ।
