ଜାମିନ୍ ସତ୍ୱେ ଜେଲରୁ ମୁକୁଳି ନଥିବା କଏଦୀଙ୍କ ସମ୍ପର୍କରେ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବେ ଜେଲ ଅଧିକାରୀ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଜାମିନ୍ ସତ୍ୱେ ଜେଲରୁ ମୁକୁଳି ପାରୁନଥିବା ଗରିବ କଏଦୀଙ୍କୁ ଆଶ୍ୱସ୍ତି । ଏପରି କଏଦୀ ସମ୍ପର୍କରେ ୧୫ ଦିନ ମଧ୍ୟରେ ଜେଲ ଅଧିକାରୀ ରିପୋର୍ଟ ଦେବେ । ଜାତୀୟ ଆଇନ ସେବା ପ୍ରାଧିକରଣକୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏ ସଂପର୍କରେ ବିବରଣୀ ମିଳିବା ପରେ କଏଦୀଙ୍କ ମୁକ୍ତି ପାଇଁ ଯୋଜନା ପ୍ରସ୍ତୁତ ହେବ । ଗରିବମାନେ ଜାମିନ୍ ବାବଦ ଅର୍ଥ ଭରଣା କରିବାକୁ ସକ୍ଷମ ନଥିବାରୁ ବିଭିନ୍ନ ଜେଲରେ ବନ୍ଦୀ ଜୀବନ କଟାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଗତ ୨୬ ତାରିଖ ଦିନ ସମ୍ବିଧାନ ଦିବସ ସମାରୋହରେ କହିଥିଲେ ରାଷ୍ଟ୍ରପତି । ସେମାନଙ୍କ ପାଖରେ ଜମାନତ ଅର୍ଥ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ।
ଏଭଳି ଗରିବ କଏଦୀଙ୍କୁ ମୁକ୍ତ କରିବା ପାଇଁ ମାନବୀୟ ଦୃଷ୍ଟିକୋଣରୁ ପଦକ୍ଷେପ ନେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରାମର୍ଶ ଦେଇଥିଲେ । ବିଶେଷ କରି ଗରିବ ଆଦିବାସୀମାନେ କିଭଳି ଅପରାଧରୁ ମୁକ୍ତ ହେବା ସତ୍ୱେ ଜେଲରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ଏବେ ସୁପ୍ରିମକୋର୍ଟ ନେଇଥିବା ପଦକ୍ଷେପ ଗରିବ କଏଦୀଙ୍କ ମୁକ୍ତି ପାଇଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି ।
ସୂଚନା ଯେ, ୧୫ ଦିନ ମଧ୍ୟରେ ରିପୋର୍ଟ ଦେବେ ଜେଲ ଅଧିକାରୀ । ଜେଲ ଅଧିକାରୀ କଏଦୀଙ୍କ ନାମ ଜଣାଇବେ। କେଉଁ ଅପରାଧରେ ଜେଲରେ ଅଛନ୍ତିି ଜଣାଇବାକୁ ନିର୍ଦ୍ଦେଶ। କେବେ କଏଦୀଙ୍କୁ ମିଳିଥିଲା ଜାମିନ୍ ତାରିଖ ଜଣାଇବେ। ଜାମିନର କେଉଁ ସର୍ତ୍ତ ପୂରଣ କରିନାହାନ୍ତି କଏଦୀ। ଜାମିନ୍ ମିଳିବା ପରେ କେତେ ଦିନ ହେବ ଜେଲରେ ଅଛନ୍ତି। କେତେ ଦିନ ହେବ ଜେଲରେ ରହିଛନ୍ତି କଏଦୀ ଜଣାଇବେ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
