ଫେଲ ମାରିଲେ ଜାଡେଜା, ଧୋନିଙ୍କୁ ମିଳିଲା ପୁଣି ସିଏସକେ କମାଣ
ନୂଆଦିଲ୍ଲୀ : ପୁଣି ଥରେ ମହେନ୍ଦ୍ର ସିଂ ଧୋନି ହେବେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ। ଖରାପ ପ୍ରଦର୍ଶନ ପରେ ରବିନ୍ଦ୍ର ଜାଡେଜା ଅଧିନାୟକ ପଦ ଛାଡିଛନ୍ତି। ଆଇପିଏଲର ସବୁଠାରୁ ଲୋକପ୍ରିୟ ଅଧିନାୟକ ପୁଣି ଥରେ ଫେରି ଆସିଛନ୍ତି । ଚଳିତ ସିଜିନରେ ଚେନ୍ନାଇ ୮ ଟି ମ୍ୟାଚ୍ ଖେଳିବା ପରେ ମାତ୍ର ୨ ଟିରେ ବିଜୟ ହାସଲ କରିପାରିଛି । ତେବେ ନିଜର ତଥା ଦଳର ଖରାପ ପ୍ରଦର୍ଶନ ପରେ ଜାଡେଜା ଅଧିନାୟକ ଦହବି ଛାଡ଼ିଛନ୍ତି । ବର୍ତ୍ତମାନ ଅବଶିଷ୍ଟ ମ୍ୟାଚ ପାଇଁ ଏମଏସ ଧୋନି ସିଏସକେ ଅଧିନାୟକ ଭାବେ ନଜର ଆସିବେ।
ତେବେ ଜାଡେଜାଙ୍କ ଏହି ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରବିନ୍ଦ୍ର ଜାଡେଜା ତାଙ୍କ ଖେଳ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଜାଡେଜାଙ୍କ ଏଭଳି ନିଷ୍ପତ୍ତି ପରେ ଚେନ୍ନାଇ ସୁପର କିଙ୍ଗ୍ସର ପୁଣି ଥରେ ଧୋନିଙ୍କୁ କମାଣ୍ଡ ନେବାକୁ ନିବେଦନ କରିଥିଲା । ଦଳର ସ୍ୱାର୍ଥରେ ଏମଏସ ଧୋନି ଏହି ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ନିଜେ ଅଧିନାୟକତ୍ୱ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଫ୍ରାଞ୍ଚାଇଜ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ନିଜ ଖେଳ ଉପରେ ଧ୍ୟାନ ଦେବା ପାଇଁ ଜାଡେଜା ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅଲରାଉଣ୍ଡର ଧୋନିଙ୍କୁ ପୁଣି ଦଳର ନେତୃତ୍ୱ ସମ୍ଭାଳିବା ପାଇଁ ଅନୁରୋଧ କରିଛନ୍ତି । ଦଳର ସ୍ୱାର୍ଥ ଦୃଷ୍ଟିରୁ ଧୋନି ଦଳର ନେତୃତ୍ୱ ନେବାକୁ ରାଜି ହୋଇଛନ୍ତି । ଚଳିତ ସିଜନରେ ଜାଡେଜାଙ୍କ ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଛନ୍ତି । ବିଶେଷଜ୍ଞ କହିଥିଲେ ଯେ ନେତୃତ୍ୱ ବୋଝ ଯୋଗୁଁ ତାଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଛି । ଚଳିତ ସିଜନରେ ୮ଟି ମ୍ୟାଚରୁ ଜାଡେଜା ୨୨.୪୦ ଆଭରେଜରେ ମାତ୍ର ୧୧୨ ରନ୍ କରିଛନ୍ତି । ବୋଲିଂରେ ମଧ୍ୟ ସେ ଏ ପର୍ଯ୍ୟନ୍ତ କେବଳ ପାଞ୍ଚଟି ୱିକେଟ୍ ନେଇଛନ୍ତି । ଆଇପିଏଲ ଆରମ୍ଭରୁ ଧୋନି ସବୁ ସିଜନରେ ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ୱ ନେଇଛନ୍ତି । ଧୋନିଙ୍କ ଅଧିନାୟକତ୍ୱରେ ଦଳ ଚାରି ଥର ଟାଇଟଲ୍ ଜିତିଛି । ଶେଷଥର ଗତ ସଂସ୍କରଣରେ ଦଳ ଚାମ୍ପିୟନ ହୋଇଥିଲା ।
