ଟ୍ରେନ ଧକ୍କାରେ ଦନ୍ତା ମୃତ, ଅନ୍ୟ ୨ ଆହତ
ଖୋର୍ଦ୍ଧା : ପୁଣି ହାତୀଙ୍କୁ ଧକ୍କା ଦେଲା ଟ୍ରେନ। ଭୁଷଣ୍ଢପୁର ଲେବଲ କ୍ରସିଂ ନିକଟରେ ହାତୀଙ୍କୁ ଉପରେ ଚଢାଇଦେଲା ଟ୍ରେନ। ୧୫ ହାତୀ ରେଳ ଲାଇନ୍ ପାର୍ ହେବାବେଳେ ଟ୍ରେନ୍ ପିଟିଲା। ଟ୍ରେନ ଧକ୍କାରେ ଗୋଟିଏ ଦନ୍ତାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଟି ହାତୀ ଆହତ ହୋଇଥିବା ସୂଚନା ମିଳିଛି।
ଶନିବାର ରାତିରେ ଖୋର୍ଦ୍ଧା ଭୂଷଣ୍ଡପୁର ଷ୍ଟେସନ ନିକଟରେ ପ୍ରାୟ ୧୫ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିଲେ। ଏହି ସମୟରେ ହାତୀ ପଲକୁ ଏକ ଦ୍ରୁତଗାମୀ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ଟି ହାତୀ ଆହତ ହୋଇଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ମାମଲାର ତଦନ୍ତ କରିଥିଲେ। କିନ୍ତୁ ରବିବାର ସକାଳେ ଦୁର୍ଘଟଣାରେ ଆହତ ଗୋଟିଏ ଦନ୍ତାର ମୃତଦେହ ଠାବ କରାଯାଇଛି। ଅନ୍ୟପଟେ କେନ୍ଦୁଝର ପାଟଣା ରେଞ୍ଜର ୧୫ରୁ ଅଧିକ ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଜନବସତିମୁହାଁ ଦନ୍ତା ଅନେକ ଘର ଭାଙ୍ଗିବା ସହ ଧାନ, ଚାଉଳ ନଷ୍ଟ କରିଛି। ଖୁଦପୁଟୁଳି ଓ ପୁଟୁଳିଆ ଗାଁ ନିକଟରେ ହାତୀ ବୁଲୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ବଣାଇ ରେଞ୍ଜ୍ ସାନଦଲକି ଗାଁରେ ଜଣେ ମହିଳାଙ୍କୁ ହାତୀ କଚାଡ଼ି ମାରିଥିବା ବେଳେ ମୃତ ମହିଳାଙ୍କ ଝିଅ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘରୁ ବାହାରି ଯିବାକୁ ଉଦ୍ୟମ ବେଳେ ହାତୀ ଆକ୍ରମଣ କରିଥିଲା।
