ଗୋଠଛଡା ଦନ୍ତାର ଉପଦ୍ରବ ! ଭାଙ୍ଗୁଛି ଘର, ଖାଉଛି ଧାନଚାଉଳ
ତେଲକୋଇ : ଗୋଠଛଡା ଦନ୍ତାର ଉପଦ୍ରବ । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ଧାନଚାଉଳ ସବୁ ଖାଇଯାଉଛି । ଏପରିକି ଲୋକମାନଙ୍କୁ ମାରିବାକୁ ମଧ୍ୟ ଗୋଡାଉଛି । ସନ୍ଧ୍ୟା ନହେଉଣୁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଦନ୍ତା ଉପଦ୍ରବ ଖେଳାଉଛି ।
ଏହି ପରିପ୍ରେକ୍ଷୀରେ ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁ ତଳସାହିରେ ପଶି ତପସ୍ୱନି ସେଠୀଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଦଇତାରି ସାହୁଙ୍କ ମୁଗବାଡିରେ ପଶି ମୁଗ ଫସଲକୁ ନଷ୍ଟ କରିଦେଇଛି । ସେପଟେ ପ୍ରଶାନ୍ତ ନାୟକଙ୍କ ଘର ବାହାରେ ଥିବା ଅଟୋକୁ ମଧ୍ୟ ଭାଙ୍ଗି ଦେଇଛି। ତାଙ୍କ ଭାଇ ଅଟୋରେ ଶୋଇଥିବା ବେଳେ ପଛପଟୁ ଅଟୋକୁ ଦାନ୍ତରେ ଭୂସି ଦେଇଥିଲା ଦନ୍ତା । ସେପଟେ ଦନ୍ତା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ପ୍ରଶାନ୍ତ ଙ୍କ ଭାଇ ଚିତ୍ରସେନ। ଏହାସହ କଦଳୀ ବଗିଚାରେ ପଶି କଦଳୀ ଗଛକୁ ଦଳିମକଚି ନଷ୍ଟ କରିଦେଇଛି । ଘର ଭାଙ୍ଗିବା ଦେଖି ତପସ୍ବନି ନିଜର ଛୋଟ ଛୁଆଙ୍କୁ ଧରି ଦୌଡ଼ି ପଳାଇ ଯାଇଥିଲେ । ପରେ ସାହି ଲୋକେ ନିଆଁ ହୋଳା ସାହାଯ୍ୟରେ ଦନ୍ତାହାତୀକୁ ସେଠାରୁ ଘଉଡାଇଥିଲେ । ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।
