ଅନୁଗୋଳରେ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ କେଭି- ୨ କ୍ୟାମ୍ପସ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନନେବା ଦୁର୍ଭାଗ୍ୟଜନକ – ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ : କେନ୍ଦ୍ର ସରକାରଙ୍କ ଆର୍ଥକ ସହାୟତା ସତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନନେବା ଦୁର୍ଭାଗ୍ୟଜନକ ବୋଲି ଗୁରୁବାର ଅନୁଗୋଳରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଅନୁଗୋଳ କେଭି- ୨ କ୍ୟାମ୍ପସ ପାଇଁ ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଗୋଳ ଠାରେ ଅନୁଗୋଳ-ବଳରାମ ନୂତନ ରେଳ ଲାଇନ ଏବଂ ସମ୍ବଲପୁର-ଶାଲିମାର(କଲିକତା) ଏକ୍ସପ୍ରେସର ଉଦଘାଟନ କରିଥିଲେ । ଏହାବ୍ୟତିତ ରାଣୀଗୁଡା ଠାରେ ଅନୁଗୋଳ କେଭି-୨ର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ମେଡିକାଲ କଲେଜ କରିବା ପାଇଁ ସ୍ଥାନୀୟ ଅଂଚଳରେ ଅନେକ ସମୟରେ ଷ୍ଟ୍ରାଇକ କରାଯାଇ କୋଇଲା ଉତ୍ପାଦନକୁ ବନ୍ଦ କରାଯାଉଥିଲା । ଏହି ଦାବୀକୁ ମଧ୍ୟ ମୋଦି ସରକାର ପୂରଣ କଲେ । ମେଡିକାଲ ପରିଚାଳନା ବାବଦକୁ ୧୦ ବର୍ଷର ପାଇଁ ଆର୍ôଥକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁମତିକୁ ମଧ୍ୟ କେନ୍ଦ୍ର କୋଇଲା ମନ୍ତ୍ରୀ ସ୍ୱୀକୃତି କଲେ । ଏହା ସତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା କରିବା ପାଇଁ ଦରଖାସ୍ତ ନକରିବା ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଖଣି ନିଲାମରେ ରାଜ୍ୟକୁ ପ୍ରଚୁର ରାଜସ୍ୱ ଆସୁଛି । ପୂର୍ବରୁ ଓଡ଼ିଶାକୁ କେବଳ ୫,୦୦୦ କୋଟି ରାଜସ୍ୱ ମିଳୁଥିଲା । ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଓଡ଼ିଶାକୁ ଆଜି ୫୦,୦୦୦ କୋଟି ଟଙ୍କାର ରାଜସ୍ୱ ମିଳୁଛି । ଜନଜାତି ଓ ଗରିବଙ୍କ ବିକାଶ ପାଇଁ ଗଠିତ ଡିଏମଏଫରେ ଓଡ଼ିଶାକୁ ବାର୍ଷିକ ପ୍ରାୟ ୧୫,୦୦୦ ଏବଂ ଅନୁଗୋଳ ପ୍ରାୟ ୮୦୦ କୋଟି ଟଙ୍କା ପାଉଛି । ଅନୁଗୋଳ- ବଳରାମ ନୂଆ ରେଳ ଲାଇନ ଦ୍ୱାରା ତାଳେଚର ଓ ଅନୁଗୋଳ ମଧ୍ୟରେ ଏକ ରିଙ୍ଗ୍ ରୋଡ ସ୍ଥାପନ ହୋଇଛି । ଏ ଅଂଚଳରେ ଆଗାମୀ ଦିନରେ ପ୍ରାୟ ୨୫୦ ଏମଏମଟି କୋଇଲା ଉତ୍ପାଦନ, ୩୦ ଏମଟି ଲୁହା, ୨ ଏମଟି ଆଲୁମିନିୟମ ଓ ୩୦ ହଜାର ମେଗାୱାଟ ବିଜୁଳି ଉତ୍ପାଦନ ହେବ । ଏଠାରେ ଗତିଶକ୍ତି ବିଶ୍ୱବିଦ୍ୟାଳୟର କୋଇଲା, ଖଣି ଓ ରେଳ ବିଭାଗର ଲଜିଷ୍ଟିକ ଓ ଆନୁଷଙ୍ଗିକ ଉପକ୍ରମର ଏକ ବିଭାଗ ଖୋଲାଯିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଧନ୍ୟବାଦ । ଏହା ତାଳଚେର, ଅନୁଗୋଳ ଅଞ୍ଚଳ ପାଇଁ ବେଶ୍ ଲାଭଦାୟକ ହେବ । ଅନୁଗୋଳର ସ୍ଥାନୀୟ ଲୋକଙ୍କ କଲ୍ୟାଣ ସହ ସେମାନଙ୍କ ରୋଜଗାରକୁ ଧ୍ୟାନ ଦେବା ଆମର ଦାୟିତ୍ୱ । ଅନୁଗୋଳ ରାଜା ସୋମନାଥ ସିଂହ ଓ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ପବିତ୍ର ମୋହନ ପ୍ରଧାନଙ୍କ ଭୂମି । ଦେଶର ସ୍ୱାଧୀନତା ପାଇଁ ଏହି ମହାପୁରୁଷମାନେ ବ୍ରିଟିଶଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ । ଆଜି ଏହି ସ୍ଥାନରେ ଯାତ୍ରୀ ସୁବିଧା ଓ ଅର୍ଥନୀତିକୁ ଗତି ଦେବା ପାଇଁ ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତକୁ ସାକାର କରିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି । ସମସ୍ତେ ଏଥିରେ ଭାଗିଦାରୀ ହେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
