ନେତାଙ୍କ ଅବାସ୍ତବ ମାଗଣା ପ୍ରତିଶ୍ରୁତି ଘୋଷଣା ପୂରଣ କରିବା ସରକାରୀ ବଜେଟ ପାଇଁ ସମ୍ଭବ ନୁହେଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଆଗକୁ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳମାନେ ବିଭିନ୍ନ ପ୍ରକାରର ଅବାନ୍ତର ପ୍ରତିଶ୍ରୁତିମାନ ଦେଉଛନ୍ତି । ଦଳମାନେ ସରକାରୀ ତହବିଲରୁ ଟଙ୍କା ବ୍ୟୟ କରି ଲୋକମାନଙ୍କୁ ମାଗଣା ସାମଗ୍ରୀ ବାଂଟିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ବେଳେବେଳେ ନେତାମାନେ ଏପରି ଅବାସ୍ତବ ମାଗଣା ପ୍ରତିଶ୍ରୁତି ମାନ ଘୋଷଣା କରୁଛନ୍ତି ଯାହାକୁ ପୂରଣ କରିବା ସରକାରୀ ବଜେଟ ପାଇଁ ସମ୍ଭବ ନୁହେଁ । ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହା ଏକ ଗୁରୁତର ମାମଲା ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିନ ଏନ.ଭି.ରମନ୍ନା କହିଛନ୍ତି ।
ସେ କହିଛନ୍ତି ଏହାକୁ ସେ ରୋକିବାକୁ ଚାହୁଁଛନ୍ତି । ଏହାକୁ କିପରି ରୋକାଯାଇପାରିବ ଆଗାମୀ ନିର୍ବାଚନରେ ଏହାକୁ ରୋକିବାକୁ ସେ ଚାହାନ୍ତି । ଘୋଷଣା ହେଉଥିବା ମାଗଣା ସାମଗ୍ରୀ ଦେଶର ବଜେଟଠାରୁ ଅଧିକ । ଏହି ମନ୍ତବ୍ୟ ଦେବା ସହ କୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି । ଦେଶରେ ରାଜନୈତିକ ଦଳମାନେ ଟିକସଦାତାଙ୍କ ଅର୍ଥ ବ୍ୟୟ କରି ମାଗଣା ସାମଗ୍ରୀ ବାଂଟୁଥିବାରୁ ତାହାକୁ ରୋକିବାକୁ ଜଣେ ବ୍ୟକ୍ତି କୋର୍ଟଙ୍କ ଆଶ୍ରୟ ନେଇଥିଲେ । ଏହାକୁ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଆବେଦନ କରିଥିଲେ । ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଦଳମାନେ କରୁଥିବା ଉଦ୍ୟମ ବନ୍ଦ ହେବା ଉଚିତ ବୋଲି ଆବେଦନକାରୀ ଦାବି କରିଛନ୍ତି । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମତ ଦେଇଛନ୍ତି । ଆବେଦନକାରୀ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ମାଗଣା ପ୍ରତିଶ୍ରୁତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏଥିସହ କେନ୍ଦ୍ର ସରକାର ଏହା ଉପରେ ରୋକ ଲଗାଇବାକୁ ଗାଇଡଲାଇନ ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି । ସେ ତାଙ୍କ ଆବେଦନରେ କହିଛନ୍ତି ଯେ ବର୍ତମାନ ରାଜନୀତିକ ଦଳଗୁଡ଼ିକ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନିର୍ବାଚନ ବେଳେ ମଗଣା ଯୋଜନା ସମ୍ପର୍କରେ ଘୋଷଣା କରୁଛନ୍ତି । ଏବେ ଏହା ଟ୍ରେଣ୍ଡରେ ପରିଣତ ହେଲାଣି । ଏପରି ମଗଣା ପ୍ରତିଶ୍ରୁତି ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ବିପଦ ।
