କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗ : ସଂଯୁକ୍ତ କିଶାନ ମୋର୍ଚ୍ଚାର ଆଗମୀ ରଣନୀତି ପାଇଁ ପ୍ରସ୍ତୁତି ବୈଠକ
ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା ପରେ ଆଗମୀ ରଣନୀତି ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ କରିଛି ସଂଯୁକ୍ତ କିଶାନ ମୋର୍ଚ୍ଚା । ସିଙ୍ଘୁ ବର୍ଡରରେ ଚାଲିଛି ବୈଠକ । କୃଷକ ନେତା ରାକେଶ ଟିକାୟତଙ୍କୁ ଛାଡି ବୈଠକରେ ସମସ୍ତ କିଶାନ ନେତା ଉପସ୍ଥିତ ଅଛନ୍ତି । ଏହାପୂର୍ବରୁ ଶନିବାର ସଂଯୁକ୍ତ କିଶାନ ମୋର୍ଚ୍ଚାର ବିଶିଷ୍ଟ ନେତାଙ୍କ ୯ ସଦସ୍ୟ ବିଶିଷ୍ଟ କମିଟିର ଏକ ବୈଠକ ହୋଇଥିଲା ।
ସିଙ୍ଘୁ ସୀମାରେ ବସିଥିବା ବୈଠକରେ ଚାଷୀଙ୍କ ମୁଖ୍ୟ ଦାବି ଉପରେ ବିଚାର କରାଯିବ। ଏହା ସହିତ ଆନ୍ଦୋଳନରେ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଆଲୋଚନା ମଧ୍ୟ ହେବ। ଏହି ବୈଠକ ଶନିବାର ହେବାର ଥିଲା । କିଛି କାରଣ ପାଇଁ ବୈଠକକୁ ସ୍ଥଗିତ ରଖାଯାଇଥିଲା । ସୂଚନାନୁସାରେ, ସିଙ୍ଘୁ ସୀମାରେ କୃଷକ ନେତାଙ୍କ ବୈଠକରେ ସିଙ୍ଘୁ, ଗାଜିପୁର ଏବଂ ଟିକିର ସୀମାରୁ ଫ୍ରଣ୍ଟ ହଟାଇବା ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ହେବ । ଏହା ସହିତ ବୈଠକରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଏମଏସପି ଦାବି । ଯାହା ଉପରେ ରଣନୀତି ପ୍ରସ୍ତୁତ ହେବ । ଏମଏସପି ଦାବି ସହିତ ବିଦ୍ୟୁତ୍ ଉପରୁ ଅର୍ଡିନାନ୍ସର ପ୍ରତ୍ୟାହାର । ତୃତୀୟ ପ୍ରସଙ୍ଗ ହେଉଛି ପରାଲି ମାମଲାର ପ୍ରତ୍ୟାହାର । ଚତୁର୍ଥ ପ୍ରସଙ୍ଗ କୃଷକ ଆନ୍ଦୋଳନ ମାମଲା ପ୍ରତ୍ୟାହାର ପାଇଁ ସହିତ ମୃତ କୃଷକଙ୍କ ପରିବାରକୁ କ୍ଷତିପୂରଣ ଦାବି । ସୂଚନା ଯେ, ଗୁରୁ ପୂର୍ଣ୍ଣିମା ଦିନ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ୩ଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ଖୁବଶୀଘ୍ର ଏ ନେଇ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ ମୋଦି । ଏହା ପରେ ଯେ ପର୍ଯ୍ୟନ୍ତ ନିୟମ ନ ଆସିଛି ସେବେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ କୃଷକ ନେତା ରାକେଶ ଟିକାୟତ ।
