ବାରାହ ଉପଦ୍ରବରୁ ଚାଷୀଙ୍କ ଫସଲ ନଷ୍ଟରୁ ରକ୍ଷା ଏବଂ ଆବଶ୍ୟକ ସାର ଯୋଗାଇବା ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବ୍ରହ୍ମପୁର : ବାରାହ ଉପଦ୍ରବରୁ ଚାଷୀଙ୍କ ଫସଲ ନଷ୍ଟ ହେବା ସହ ଚାଷୀଙ୍କୁ ଆବଶ୍ୟକ ଅନୁସାରେ ସାର ମିଳୁନଥିବା ଅଭିଯୋଗ ନେଇ ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ସହ ଚାଷୀ ପରିବାର ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ ନେଇ ଦାବୀ ଜଣାଇଛନ୍ତି । ବାରାହ ଯୋଗୁଁ ରଙ୍ଗେଇଲୁଣ୍ଡା ବ୍ଲକର ମନ୍ତ୍ରୀଡି, ବିଶ୍ଵନାଥପୁର, ମେନ୍ଦ୍ରାଜପୁର, ଇନ୍ଦ୍ରାଖି, ଶାସନପଦର,ଫୁଲଟା, କମଳାପୁର,କରପଲ୍ଲୀ ସମେତ ବହୁ ଗ୍ରାମ ପଂଚାୟତର ଚାଷ ଜମି ଗୁଡ଼ିକର ଫସଲକୁ ନଷ୍ଟ କରିଦେଉଥିବା ବେଳେ ବର୍ତ୍ତମାନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଏହି ସମ୍ପର୍କରେ ସରକାରୀ ବନ ବିଭାଗ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ।ଏହାସହ ଉକ୍ତ ବ୍ଲକର ଅଧିକାଂଶ ଚାଷୀ ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ପାଇ ପାରୁନଥିବା ବେଳେ ବଜାରରୁ ଅଧିକ ଦରରେ ଚାଷୀ ସାର କିଣୁଥିବା ଜଣାପଡିଛି । ଅନ୍ୟପଟେ ସମବାୟ ସମିତି ଠିକ୍ ସମୟରେ ଓ ଉପଯୁକ୍ତ ପରିମାଣରେ ସାର ଦେଉନଥିବା ଅଭିଯୋଗ କରି ସମସ୍ତ ଦାବୀ ଗୁଡିକୁ ପୂରଣ କରିବା ଲାଗି ଆଜି ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରାଙ୍କ ଜରିଆରେ ଉପଜିଲ୍ଲାପାଳଭି କୀର୍ତ୍ତି ଭାସନଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି ରଙ୍ଗେଇଲୁଣ୍ଡା ବ୍ଳକ କଂଗ୍ରେସ ଓ ଚାଷୀ ପରିବାର । ଦାବିପତ୍ର ପ୍ରଦାନ ବେଳେ ରଙ୍ଗେଇଲୁଣ୍ଡା ବ୍ଳକ ସଭାପତି ଡାବ୍ଲୁ. ବାଲକ୍ରୀଷ୍ଣା, ଯୁବ କଂଗ୍ରେସ ସଭାପତି ସନାତନ ସାହୁ, କେ. ଭୈରବପାତ୍ର,ଏମ.ମାଧବ,ଏମ ଦଣ୍ଡାଶି,ଗୌରାଙ୍ଗ ପଣ୍ଡା,ପ୍ରତାପ କର,ଗୋକୁଳ ଚନ୍ଦ୍ର କର, ନିରଞ୍ଜନ ସାହୁ, ସୁବାସ କର, ତାରିଣୀ ସାହୁ, ରମେଶ ଚନ୍ଦ୍ର, ସୀମାଞ୍ଚଳ ସେଠୀ, ଉଦୟ ନାୟକ, ପ୍ରଫୁଲ୍ଲ ନାୟକ, ହରିହର ନାୟକ, ପ୍ରକାଶ କର, ବିଜୟ ପଣ୍ଡା, ସାଗର ନାୟକ ଅଭିଷେକ ପାଢ଼ୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ଚାଷୀ ପରିବାର ଉପସ୍ଥିତ ଥିଲେ ।
