ଇସଲାମିକ ରାଷ୍ଟ୍ରମାନେ ନିରାଶ କରିଛନ୍ତି : ଇମରାନ୍ ଖାନ୍
ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କ ବିରୋଧରେ ତେଜୁଛି ବିଦ୍ରୋହ। ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆରମ୍ଭ ହୋଇଛି ମିଳିତ ରଣନୀତି। ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଇସଲାମାବାଦରେ ଅନୁଷ୍ଠିତ ଇସଲାମିକ ସହଯୋଗ ସଂଗଠନ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଭାରତ ସରକାର କାଶ୍ମୀର ସ୍ୱତନ୍ତ୍ର ପାହ୍ୟା ଶେଷ କରିଦେବା ପରେ ପାକିସ୍ତାନର ବିରୋଧ ପ୍ରତି ଇସଲାମିକ ରାଷ୍ଟ୍ରମାନେ ଯଥୋଚିତ ସମର୍ଥନ କରୁନଥିବାରୁ ଏଥିନେଇ ଇମ୍ରାନ ଉଦବେଗ ପ୍ରକାଶ କରିଛନ୍ତି ।
ଜମ୍ମୁ କାଶ୍ମୀରରେ ମାନବାଧିକାର ଉଲଂଘନ ହେଉଛି ଏବଂ ଏ ନେଇ ପାକିସ୍ତାନର ଅଭିଯୋଗକୁ କେହି କର୍ଣ୍ଣପାତ କରୁନଥିବା କହି ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । କାଶ୍ମୀର ଏବଂ ପାଲେଷ୍ଟାଇନ୍ ପ୍ରସଙ୍ଗ ଉଠାଇ ଇମ୍ରାନ କହିଥିଲେ ଇସଲାମିକ ରାଷ୍ଟ୍ରମାନେ ଉଭୟ ପ୍ରସଙ୍ଗରେ ଲୋକଙ୍କୁ ନିରାଶ କରିଛନ୍ତି । ଆମେ ଚାହିଁଲେ ମଧ୍ୟ କାଶ୍ମୀରକୁ ନେଇ କିଛି କରିପାରୁନୁ ବୋଲି ସେ କହିଥିଲେ । ମୁସଲିମ ରାଷ୍ଟ୍ରମାନଙ୍କ ମଧ୍ୟରେ ମତଭେଦ ଯୋଗୁଁ ଏଭଳି ସ୍ଥିତି ଆସିଛି ଏବଂ ଏ ସଂପର୍କରେ ପଶ୍ଚିମ ରାଷ୍ଟ୍ରମାନେ ଭଲଭାବେ ଜାଣିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
