ଅଦିନିଆ ରଥଯାତ୍ରା ବନ୍ଦ ନେଇ ଇସ୍କନର ବିଧିବଦ୍ଧ ଘୋଷଣା
ଭୁବନେଶ୍ୱର : ଏଣିକି ଇସ୍କନ ପକ୍ଷରୁ ସଂସ୍ଥା ଦ୍ୱାରା ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରା ଆଉ କରାଯିବ ନାହିଁ । ଇସ୍କନ ସଂସ୍ଥାଦ୍ୱାରା ପ୍ରତିଷ୍ଠିତ ମନ୍ଦିରମାନଙ୍କରେ ଶ୍ରୀଜଗନ୍ନାଥ ବିଗ୍ରହଙ୍କୁ ନେଇ ବିନା ତିଥିରେ ବର୍ଷର ଯେ କୌଣସି ସମୟରେ ଆୟୋଜନ କରୁଥିବା ରଥଯାତ୍ରା ବିରୋଧରେ ସ୍ୱର ଉତ୍ତୋଳନ ହେବା ଫଳରେ ଇସ୍କନ କର୍ତ୍ତୃପକ୍ଷ ଅଦିନରେ ରଥଯାତ୍ରା କରିବେ ନାହିଁ ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଭାରତବର୍ଷର ବିଭିନ୍ନ ରାଜ୍ୟରେ ପ୍ରତିଷ୍ଠିତ ଇସ୍କନ ମନ୍ଦିରମାନଙ୍କରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ସ୍କନ୍ଦ ପୁରାଣ ଓ ବାମଦେବ ସଂହିତା ଆଧାରରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ରଥଯାତ୍ରା ଆରମ୍ଭ କରି ଗୁଣ୍ଡିଚା ମନ୍ଦିରରେ ସାତଦିନ ଅବସ୍ଥାନ କରାଇ ପୁଣି ରଥରେ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ଦିନ ରନ୍ନବେଦୀରେ ବିଜେ କରାଇବାର ପରମ୍ପରା ପାଳନ କରିବେ ବୋଲି ସ୍ୱୀକାର କରିଛନ୍ତି। ଇସ୍କନ କର୍ତ୍ତୃପକ୍ଷ ସେମାନଙ୍କର ଗଭର୍ଣ୍ଣିଂ କାଉନ୍ସିଲ୍ରେ ସେହି ବିଷୟରେ ଆଲୋଚନା କରି ନିଷ୍ପତ୍ତି ନେଇଛନ୍ତି ଯେ ଭାରତବର୍ଷରେ ସମସ୍ତ ଇସ୍କନ ମନ୍ଦିର ତିଥି ଅନୁଯାୟୀ ରଥଯାତ୍ରା ପାଳନ କରିବେ ଓ ଅନ୍ୟ କୌଣସି ଦିନ ଦାରୁବିଗ୍ରହଙ୍କୁ ମନ୍ଦିର ବାହାରକୁ ଆଣିବେ ନାହିଁ। ଏ ସଂକ୍ରାନ୍ତରେ ଇସ୍କନ ବ୍ୟୁରୋ ତରଫରୁ ଜେନେରାଲ୍ ସେକ୍ରେଟାରୀ ଶ୍ରୀ ଶଙ୍ଖଧାରୀ ଦାସ ନିଷ୍ପତ୍ତିର ନକଲ ଗଜପତି ମହାରାଜାଙ୍କୁ ପଠାଇଛନ୍ତି ।
ସୂଚନା ଯେ, ଇସ୍କନ କର୍ତ୍ତୃପକ୍ଷ ଭାରତବର୍ଷର ବିଭିନ୍ନ ପ୍ରଦେଶରେ ମନ୍ଦିର ସ୍ଥାପନ କରି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ଦାରୁବିଗ୍ରହ ପ୍ରତିଷ୍ଠା କରି ବର୍ଷସାରା ବିଭିନ୍ନ ପର୍ବପର୍ବାଣୀ ପାଳନ କରିଥାନ୍ତି। ମାତ୍ର ରଥଯାତ୍ରା କ୍ଷେତ୍ରରେ ଯେକୌଣସି ଦିନ ଠାକୁରମାନଙ୍କୁ ରଥରେ ବସାଇ ସହର ପରିକ୍ରମା କରୁଥିବାରୁ ଏ ବାବଦରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ବହୁବର୍ଷ ପୂର୍ବେ ଲିଖିତ ଚେତାବନୀ ଦେଇଥିଲେ। ମାତ୍ର ସେମାନେ ଟାଳଟୁଳ ନୀତି ଅବଲମ୍ବନ କରି ଅଦିନରେ ରଥଯାତ୍ରା ଚାଲୁ ରଖିଥିଲେ। ଏ ସଂକ୍ରାନ୍ତରେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ବିଧାନସଭାରେ ୨୦୧୯ ମସିହାରେ ସଭ୍ୟମାନଙ୍କର ଦୃଷ୍ଟିଆକର୍ଷଣ କରି ଶ୍ରୀଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର ବଦଳରେ ବିକୃତ କରାଯାଉଛି ବୋଲି ପ୍ରତିବାଦ କରିଥିଲେ। ତା’ପରେ ପରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ତତ୍କାଳୀନ ସଭାପତି ଗୋପୀନାଥ ମହାନ୍ତିଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ପ୍ରତିଷ୍ଠିତ ସମସ୍ତ ସଂସ୍ଥା ତଥା ସବୁ ରାଜନୈତିକ ଦଳର ମୁଖ୍ୟଙ୍କୁ ନେଇ ଜୟଦେବ ଭବନରେ ପ୍ରତିବାଦ ସଭା ଆୟୋଜନ ହୋଇଥିଲା। ଏହାପରେ ନଭେମ୍ବର ୨୦୧୯ରେ ଭୁବନେଶ୍ୱରଠାରେ ଇସ୍କନର ମୁଖ୍ୟ କାର୍ଯ୍ୟାଳୟର କର୍ତ୍ତୃପକ୍ଷମାନଙ୍କୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଆୟୋଜନ ହୋଇଥିଲା। ସେଥିରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଶ୍ରୀଜଗନ୍ନାଥ ସଂସ୍କୃତିର ବହୁ ଗବେଷକ ଉପସ୍ଥିତ ଥିଲେ। ସେହି ଆଲୋଚନାଚକ୍ରରେ ଶାସ୍ତ୍ରସମ୍ମତ ରଥଯାତ୍ରା ଉପରେ ଗୁରୁତ୍ୱ ଆରୋପ କରାଯାଇ ବିନା ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମନ୍ଦିର ବାହାରକୁ ଆଣିବା ଶାସ୍ତ୍ରସମ୍ମତ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା।
