ଆଇପିଏଲ୍-୨୦୨୨ : ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ବାଙ୍ଗାଲୋର
ମୁମ୍ବାଇ : ଆଇପିଏଲ୍-୨୦୨୨ର ୩୬ତମ ଲିଗ୍ ମୁକାବିଲାରେ ଶନିବାର ସନ୍ଧ୍ୟାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମୁକାବିଲା ଅନୁଷ୍ଠିତ ହେବ । ଏଥିରେ ଟସ୍ ଜିତି ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ବ୍ୟାଟିଂ କରିବା ବାଙ୍ଗାଲୋର ।ଏହା ପୂର୍ବରୁ ବାଙ୍ଗାଲୋର ୭ଟି ମ୍ୟାଚ୍ରୁ ୫ ବିଜୟ ସହ ମୋଟ୍ ୧୦ ପଏଣ୍ଟ ହାସଲ କରିସାରିଛି । ଆଉ ଏକ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଅନ୍ୟପଟରେ ହାଇଦ୍ରାବାଦ ଏହି ମ୍ୟାଚ୍ ଜିତିଲେ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଯିବ ।
କ୍ରମାନ୍ୱୟରେ ୪ଟି ମ୍ୟାଚ୍ ଜିତିବା ପରେ ହାଇଦ୍ରାବାଦ ମନୋବଳ ଦୃଢ ରହିଛି । ବୋଲିଂ ବାହିନୀ ଫର୍ମରେ ରହିଛନ୍ତି । ଦଳଗତ ବ୍ୟାଟିଂ ପ୍ରଦର୍ଶନ ବଳରେ ସନରାଇଜର୍ସର ବିଜୟ ସମ୍ଭବ ହୋଇଛି । କେବଳ କେନ ୱିଲିୟମସନଙ୍କ ବ୍ୟାଟ୍ରୁ ବଡ ଇନିଂସ ଦେଖିବାକୁ ହାଇଦ୍ରାବାଦ ଫ୍ୟାନମାନେ ଅପେକ୍ଷା କରିଛନ୍ତି । ସେହିପରି ବାଙ୍ଗାଲୋର ବିଜୟ ଧାରା ଅବ୍ୟାହତ ରଖିଥିଲେ ହେଁ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ରହିଛି । ଆଜିର ମ୍ୟାଚ୍ରେ ତାଙ୍କ ବ୍ୟାଟ୍ରୁ ବଡ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ । ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍ରୁ ସନରାଇଜର୍ସ ୩ଟିରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ । ଏଥର ବାଙ୍ଗାଲୋରର ପଲା ଭାରି ରହିବା ଆଶା କରାଯାଇପାରେ । ଫାଫ ଡୁ ପ୍ଲେସି ଓ ଦିନେଶ କାର୍ତ୍ତିକଙ୍କ ଫର୍ମ ଓ ପ୍ରଦର୍ଶନକୁ ଦେଖିଲେ ବାଙ୍ଗାଲୋର ଷଷ୍ଠ ବିଜୟ ହାସଲ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚୂଡାନ୍ତ ଏକାଦଶ : ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ, ସୁୟାଶ ପ୍ରଭାଦେଶାଇ, ଶାହବାଜ ଅହମ୍ମଦ, ଦିନେଶ କାର୍ତ୍ତିକ (ୱିକେଟ୍ କିପର), ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ଜୋଶ ହାଜଲେଉଡ, ମହମ୍ମଦ ସିରାଜ।
ସନରାଇଜର୍ସ ହାଇଦ୍ରାବାଦ ଚୂଡାନ୍ତ ଏକାଦଶ : ଅଭିଷେକ ଶର୍ମା, କେନ୍ ୱିଲିୟମସନ (ଅଧିନାୟକ), ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୁରନ (ଓ୍ଵିକେଟ୍ କିପର), ଶଶାଙ୍କ ସିଂ, ଜଗଦୀଶା ସୁଚିଥ, ଭୁବନେଶ୍ୱର କୁମାର, ମାର୍କୋ ଜାନସେନ୍, ଉମ୍ରାନ ମଲିକ, ଟି ନଟରାଜନ।
