ଆଇପିଏଲ୍-୨୦୨୨ : ୨୪ତମ ଲିଗ୍ ମ୍ୟାଚ୍ରେ ରାଜସ୍ଥାନ-ଗୁଜରାଟ ମୁକାବିଲା
ମୁମ୍ବାଇ : ଆଇପିଏଲ୍-୨୦୨୨ର ୨୪ତମ ଲିଗ୍ ମ୍ୟାଚ୍ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମୁକାବିଲା ଦେଖିବାକୁ ମିଳିବ । ସିଜନ ଆରମ୍ଭରୁ ଉଭୟ ଦଳର ପ୍ରଦର୍ଶନ ଆକର୍ଷଣୀୟ ରହିଛି । ରାଜସ୍ଥାନ ମୋଟ ୪ମ୍ୟାଚ୍ରୁ ୩ ବିଜୟ ସହ ୬ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି । ସେହିପରି ଗୁଜରାଟ ୪ଟି ମ୍ୟାଚ୍ ଖେଳି ୩ ବିଜୟ ସହ ୬ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି । ଆଜିର ମ୍ୟାଚ ଜିତି ଉଭୟ ଦଳ ପାଇଁ ଶୀର୍ଷ ସ୍ଥାନ ଅକ୍ତିଆର କରିବାର ସୁଯୋଗ ରହିଛି ।
ଇତି ମଧ୍ୟରେ ୨୩ ମ୍ୟାଚ୍ ଶେଷ ହୋଇଛି । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଉଛନ୍ତି । ହୁଏତ ଆଜିର ମ୍ୟାଚ୍ରେ ଟସ୍ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇ ପାରନ୍ତି । ଏକମାତ୍ର ଦଳ ଭାବେ ରାଜସ୍ଥାନ ରୟାଲ୍ସ ୩ଟି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଛି । ଆଜି ଉଭୟ ଦଳର ବୋଲରଙ୍କ ମଧ୍ୟରେ ଅସଲ ଲଢେଇ ହେବ । ମହମ୍ମଦ ସାମି, ଲୋକି ଫର୍ଗୁସନ, ରସିଦ ଖାନଙ୍କୁ ନେଇ ଟାଇଟନ୍ସ ଦଳର ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ରୟାଲ୍ସ ଦଳରେ ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ରବି ଅଶ୍ୱିନ, ପ୍ରସିଦ୍ଧ କ୍ରିଷ୍ଣା ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ରୟାଲ୍ସ ଦଳର ବ୍ୟାଟିଂ ବିଭାଗ ଟାଇଟନ୍ସ ତୁଳନାରେ ଅଧିକ ଶକ୍ତିଶାଳୀ । ଜୋସ ବଟଲର, ସିମରନ ହେତମେୟର, ଦେବଦତ୍ତ ପାଡ଼ିକଲ ଓ ସଞ୍ଜୁ ସାମସନଙ୍କ ଭଳି ବିସ୍ଫୋରକ ବ୍ୟାଟର ଦଳରେ ରହିଛନ୍ତି । ବଟଲର ଇତି ମଧ୍ୟରେ ଶତକ ଅର୍ଜନ କରିସାରିଛନ୍ତି । ଅରେଞ୍ଜ କ୍ୟାପ୍ ମଧ୍ୟ ତାଙ୍କ ଦଖଲରେ ରହିଛି। ସେହିପରି ଚହଲ ସର୍ବାଧିକ ୱିକେଟ୍ ହାତେଇ ପର୍ପଲ କ୍ୟାପ୍ ଅକ୍ତିଆର କରିଛନ୍ତି । ଟାଇଟନ୍ସକୁ ବ୍ୟାଟିଂ ବିଭାଗ ସଦୃଢ କରିବାକୁ ହେବ । ଯୁବ ବୋଲର ଦର୍ଶନ ନାଲକନ୍ଦେଙ୍କ ସ୍ଥାନରେ ଆଉ ଜଣେ ବ୍ୟାଟରଙ୍କୁ ଖେଳାଇବା ଉପଯୁକ୍ତ ନିଷ୍ପତ୍ତି ହୋଇପାରେ ।
