ଆଇପିଏଲ୍-୨୦୨୧ : ପ୍ଲେ ଅଫ୍ରେ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଓ କୋଲକାତା
ନୂଆଦିଲ୍ଲୀ : ନିଜର ଶେଷ ଲିଗ୍ ମ୍ୟାଚ୍ରେ ବିଜୟୀ ହୋଇଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଦୌଡରୁ ବାଦ୍ ପଡିଛି । ଏଥିସହ ଆଇପିଏଲ ୨୦୨୧ର ପ୍ଲେ ଅଫ୍ ରାଉଣ୍ଡ ଚିତ୍ର ସ୍ପଷ୍ଟ ହୋଇଛି । ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ର ପ୍ଲେଅଫରେ ଚାରୋଟି ଦଳ ପ୍ରବେଶ କରିଛନ୍ତି । ଚାରୋଟି ଦଳ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପରକିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ । ଦିଲ୍ଲୀ ଶୀର୍ଷରେ ରହିଥିବା ବେଳେ ଚେନ୍ନାଇ ଦ୍ୱିତୀୟ, ବେଙ୍ଗାଲୁରୁ ତୃତୀୟ ଏବଂ କୋଲକାତା ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୩୬ ରନର ବିଜୟ ଲକ୍ଷ୍ୟ ରଖିଥିଲା । ପ୍ଲେଅଫ୍ରେ ପହଂଚିବା ପାଇଁ ମୁମ୍ୱାଇକୁ ୧୭୦ରୁ ଅଧିକ ରନରେ ବିଜୟ ଜରୁରୀ ଥିଲା । ତେବେ ଯାଇ ଦଳର ରନ ରେଟ୍ କୋଲକାତା ନାଇଟ୍ ରାଇଡର୍ସଠୁ ଉନ୍ନତ ରହିଥାନ୍ତା । ଦୁଇ ଦଳର ପଏଂଟ ୧୪ ରହୁଥିଲେ ବି କୋଲକାତାର ନେଟ ରନ ରେଟ୍ + ୦.୫୮୭ ରହିଥିଲା । ଏଥିରୁ ଉନ୍ନତ ରନ ରେଟ୍ ପାଇଁ ମୁମ୍ବାଇକୁ ବିଶାଳ ବିଜୟର ଆବଶ୍ୟକତା ଥିଲା । ମୁମ୍ବାଇ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ବ୍ୟାଟସମ୍ୟାନ ମଧ୍ୟ ସେହି ଉଦ୍ଦେଶ୍ୟ ରଖି ପଡିଆକୁ ଓହ୍ଲାଇଥିଲେ । ଓପନିଂ ବ୍ୟାଟମସ୍ୟାନ ଇଶାନ କିଶନ ମାତ୍ର ୧୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିସ୍ଫୋରକ ଇନିଂସ ଖେଳିଥିଲେ । ଏହି ପରି ଦଳ ୨୩୫ ରନ କରିଥିଲା । ପ୍ଲେଅଫରେ ପହଂଚିବା ପାଇଁ ମୁମ୍ବାଇକୁ ଦରକାର ଥିଲା ହାଇଦ୍ରାବାଦକୁ ୬୫ କିମ୍ବା ସେଥିରୁ କମ ରନରେ ରୋକିବା । ଏହା ଦଳ ପାଇଁ ବହୁତ ମୁସ୍କିଲ ଟାର୍ଗେଟ୍ ଥିଲା । ଦଳ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରି ନାହିଁ । ଏଥିସହ କୋଲକାତା ଚତୁର୍ଥ ସ୍ଥାନରେ ନିଜର ସ୍ଥିତି ମଜବୁତ କରି ପ୍ଲେଅଫରେ ପ୍ରବେଶ କରିଛି । ଏଥିସହ ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପରକିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ପ୍ଲେ ଅଫରେ ପରସ୍ପରର ମୁକାବିଲା କରିବେ । ପ୍ରଥମ ଦୁଇଟି ସ୍ଥାନରେ ଥିବା ଦିଲ୍ଲୀ ଏବଂ ଚେନ୍ନାଇ ଦଳକୁ ଫାଇନାଲ୍?ରେ ପ୍ରବେଶ ପାଇଁ ଦୁଇଟି ସୁଯୋଗ ମିଳିବ । ଏହି ଦୁଇ ଦଳ ମଧ୍ୟରେ ପ୍ରଥମ କ୍ୱାଲିଫାୟର ମୁକାବିଲା ଖେଳାଯିବ, ଯେଉଁ ଦଳ ଜିତିବ ସିଧାସଳଖ ଫାଇନାଲ୍ରେ ପହଂଚିବ । ଅନ୍ୟପଟେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ଆରସିବି ଏବଂ କେକେଆର ପରସ୍ପର ଏଲିମିନେଟର ମୁକାବିଲାରେ ଭେଟିବେ । ଏଥିରୁ ବିଜୟୀ ଦଳ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ରେ ପରାଜିତ ଦଳକୁ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ଭେଟିବ ।
ପ୍ରଥମ କ୍ୱାଲିଫାୟାର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଚେନ୍ନାଇ ସୁପରକିଙ୍ଗ୍ସ, ଅକ୍ଟୋବର ୧୦, ସନ୍ଧ୍ୟା- ୭ଟା ୩୦, ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ ଏବଂ ଏଲିମିନେଟର ମୁକାବିଲା ନାଇଟ୍ ରାଇଡର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଅକ୍ଟୋବର ୧୧, ସନ୍ଧ୍ୟା-୭ଟା ୩୦, ସାରଜା ।
