ଆଇପିଏଲ-୨୦୨୪ : ଅମ୍ପାୟରଙ୍କ ସହ ଯୁକ୍ତିତର୍କ ମହଙ୍ଗା ପଡ଼ିଲା, କୋହଲିଙ୍କ ମ୍ୟାଚ୍ ଫି’ର ୫୦% କଟିଲା
କୋଲକାତା: ଆଇପିଏଲ-୨୦୨୪ରେ ରବିବାର କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ରେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନ ପାଇଁ କୋହଲିଙ୍କୁ ମ୍ୟାଚ୍ ଫି’ର ୫୦% ଜରିମାନା ହୋଇଛି।
ଏହି ହାଇସ୍କୋରିଂ ମ୍ୟାଚରେ ଆରସିବି ୧ ରନରେ ହାରି ଯାଇଥିଲା। ମ୍ୟାଚ୍ରେ କୋହଲି ୭ଟି ବଲରେ ୧୮ ରନ୍ କରି ହର୍ଷିତ ରାଣାଙ୍କ ଏକ ଫୁଲ୍ ଟସ୍ ବଲରେ ଆଉଟ୍ ହୋଇଥିଲେ । ଏହି ବଲ୍ ଅଣ୍ଟା ଉଚ୍ଚ ଥିବାରୁ କୋହଲି ନୋ ବଲ୍ ଭାବି ଡିଆରଏସ୍ ରିଭ୍ୟୁ ନେଇଥିଲେ । କିନ୍ତୁ ଟିଭି ଅମ୍ପାୟାର ହକ୍ ଆଇ ସିଷ୍ଟମ ବ୍ୟବହାର କରି ଦେଖିଥିଲେ ଯେ କୋହଲି କ୍ରିଜ ବାହାରକୁ ଆସି ସଟ୍ ଖେଳିଥିଲେ। ବଲ୍ କୋହଲିଙ୍କ ଅଣ୍ଟା ଉଚ୍ଚତାରୁ ଆହୁରି ୦.୯୨ ମିଟର ତଳକୁ ଢଳିଥାନ୍ତା ଯଦି ସେ କ୍ରିଜ୍ ଭିତରେ ଥାଆନ୍ତେ। ତେଣୁ ଟିଭି ଅମ୍ପାୟର ଏହାକୁ ବୈଧ ବଲ୍ କହିଥିଲେ। କୋହଲିଙ୍କୁ ଆଉଟ୍ ଘୋଷିତ କରାଯାଇଥିଲା। ଏଥିରେ ରାଗିଯାଇ କୋହଲି ଫିଲ୍ଡ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ପ୍ୟାଭିଲିୟନ ଯିବାବେଳେ ଡ୍ରେସିଂ ରୁମ୍ ନିକଟରେ ଥିବା ଡଷ୍ଟବିନକୁ ବ୍ୟାଟରେ ପିଟି ଦେଇଥିଲେ କୋହଲି ।
