ଆଇପିଏଲ-୨୦୨୩ : କୋଲକାତାକୁ ୧୯୨ରନର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ
ମୋହାଲି : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ଦ୍ବିତୀୟ ଦିନରେ ମୋହାଲି ଠାରେ ଶନିବାର ଦ୍ଵିତୀୟ ମ୍ୟାଚ ପଞ୍ଜାବ କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୯୧ ରନ ସଂଗ୍ରହ କରିଛି । ଫଳରେ କୋଲକାତାକୁ ୧୯୨ ରନର ବିଜୟ ଲକ୍ଷ୍ୟ ରହିଛି ।
ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବର ଦୁଇ ଓପନର ପ୍ରଭସିମରନ ସିଂ ଓ ଶିଖର ଧଓ୍ବନ ଲଢୁଆ ବ୍ୟାଟିଂ କରିବା ସହ ଦଳକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଭସିମରନ ୨୩ ରନ କରିଥିବାବେଳେ ଧଓ୍ବନ ୪୦ ରନ କରିଥିଲେ । କିନ୍ତୁ ଭାନୁକା ରାଜପକ୍ଷେ ସର୍ବାଧିକ ୫୦ ରନ କରିଥିଲେ । ସେହିପରି ଜିତେଶ ଶର୍ମା ୨୧ରନ ଓ ସିକନ୍ଦର ରାଜା ୧୬ରନ ଓ ସାମ କୁରାନ ୨୬ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୧୯୧ରନ ଛୁଇଁପାରିଥିଲା । କୋଲକାତା ପକ୍ଷରୁ ଟିମ ସାଉଦି ୨ଟି ଓ୍ବିକେଟ ନେଇଥିବାବେଳେ ଉମେଶ ଯାଦବ, ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
