ଆଇପିଏଲ-୨୦୨୩ : ଟସ ଜିତିଲା ମୁମ୍ବାଇ, ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ଆଜି ୧୬ତମ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଏହି ମ୍ୟାଚ ଦିଲ୍ଲୀ ସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ । ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ ଡିସି ଟିମ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଛି।
ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟ ସ୍ୱାଦ ଚାଖି ନାହାନ୍ତି । ତେଣୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ । ଖେଳାଳିଙ୍କ ଆହତ ସମସ୍ୟା ଓ ଅନୁପସ୍ଥିତି ଉଭୟ ଦଳକୁ ଚିନ୍ତାରେ ପକାଇଛି । ଶ୍ରେଷ୍ଠ ଏକାଦଶ ଚୟନ କରିବାରେ ଉଭୟ ଦଳ ବିଫଳ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ୨ଟି ମ୍ୟାଚ୍ ଖେଳି ସାରିଛି। ଯଶପ୍ରୀତ ବୁମରା, ଝେୟ ରିଚାର୍ଡସନ ଆହତ ହୋଇ ଆଇପିଏଲ୍ରୁ ବାଦ ପଡ଼ିଛନ୍ତି । ସେହିପରି ଦଳର ମୁଖ୍ୟ ବୋଲର ଜୋଫ୍ରା ଆର୍ଚର ମଧ୍ୟ ଆହତ ହୋଇଛନ୍ତି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ମିଚେଲ ମାର୍ଶ ବିବାହ ପାଇଁ ସ୍ୱଦେଶ ଫେରିଯାଇଛନ୍ତି। ତେଣୁ ସେ ଆଜିର ମ୍ୟାଚରେ ଅନୁପସ୍ଥିତ ରହିବେ । ପେସ୍ ବୋଲର ଖଲିଲ ଅହମ୍ମଦ ଆହତ ଅଛନ୍ତି। ପୃଥ୍ୱୀ ଶ’ ଓ ସର୍ଫରାଜ ଖାନ୍ ଫର୍ମ ହରାଇଥିବାରୁ ଦଳର ବ୍ୟାଟିଂ ବିଭାଗ ଦୁର୍ବଳ ହୋଇଯାଇଛି। ଏକ ସନ୍ତୁଳିତ ଦଳ ଗଠନ କରିବାରେ ଦିଲ୍ଲୀ କ୍ୟାପିଟାଲ୍ସ ବିଫଳ ହୋଇଛି ।
ଆଜିର ମ୍ୟାଚରେ ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ଘଟିଛି। ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମେ ଫିଲ୍ଡିଂ ସୁଯୋଗ ମିଳିଛ। ତେଣୁ ଦଳ ଡିୱାଲ୍ଡ ବ୍ରେଭିସଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ବ୍ୟବହାର କରାଯିବା ନିଶ୍ଚିତ। ତେବେ ଉଭୟ ଦଳ ଏହି ମ୍ୟାଚକୁ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବେ।
