ଆଇପିଏଲ-୨୦୨୩ : ମାର୍କ ଉଡ଼ଙ୍କ ଘାତକ ବୋଲିଂ, ୫୦ ରନରେ ଲକ୍ଷ୍ନୌର ବୃହତ ବିଜୟ
ଲକ୍ଷ୍ନୌ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ତୃତୀୟ ମ୍ୟାଚରେ ଶନିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଖେଳାଳି ଦମଦାର ପ୍ରଦର୍ଶନ କରିଥିଲେ । କାଇଲ ମେୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ରେ ୧୯୩ ରନ ସଂଗ୍ରହ କରିଥିଲା। ୧୯୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ମାତ୍ର ମାର୍କ ଉଡ଼ଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀ ଖେଳାଳି ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଛି । ଫଳରେ ୫୦ ରନର ବ୍ୟବଧାନରେ ଲକ୍ଷ୍ନୌ ବୃହତ ବିଜୟ ହାସଲ କରିଛି ।
ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୧୯୩ ରନ କରିଥିଲା । ଲକ୍ଷ୍ନୌ ପକ୍ଷରୁ ଅଧିନାୟକ ଲୋକେସ ରାହୁଲ ମାତ୍ର ୮ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ କାଇଲ୍ ମାୟର୍ସ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ମେୟର୍ସଙ୍କ ବିସ୍ଫୋରକ ଇନିଂସ ଦିଲ୍ଲୀର ସବୁ ରଣକୌଶଳକୁ ଓଲଟପାଲଟ କରିଦେଇଥିଲା । ସେ ମାତ୍ର ୩୮ଟି ବଲରେ ୭ଟି ଛକା ଓ ୨ଟି ଚୌକା ସହ ୭୩ ରନ କରିଥିଲେ । ସେହିଭଳି ଦୀପକ ହୁଡ୍ଡା ୧୭ରନ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ୧୨ରନ କରି ପାଭିଲିୟନ ଫେରିଥିଲେ। ନିକୋଲାସ୍ ପୁରନ ୨୧ ବଲରୁ ୩୬ ରନ୍ର ଉପଯୋଗୀ ଇନିଂସ ଖେଳିଛନ୍ତି। ଆୟୁସ ବାଦୋନୀ ୧୮ ରନ୍ କରି ଆଉଟ ହୋଇଛନ୍ତି । କୃଣାଲ ପାଣ୍ଡ୍ୟା ୧୫ ରନ କରି ଅପରାଜିତ ଥିବା ବେଳେ କ୍ରିଷ୍ଣାପ୍ପା ଗୌତମ ୬ ରନ୍ କରି ଅପରାଜିତ ଅଛନ୍ତି । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ଓ ଚେତନ ସକାରିଆ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ଆରମ୍ଭ କରିଥିଲେ ହେଁ ପରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଗୋଟିଏ ପଟେ ନିୟମିତ ଉଇକେଟ ଯାଉଥିବା ବେଳେ ଅଧିନାୟକ ଡେଭିଡ୍ ଓ୍ବାର୍ନର ଏକାକୀ ଲଢ଼ି ଚାଲିଥିଲେ । ତାଙ୍କ ଉଇକେଟ ଯିବା ପରେ ଦିଲ୍ଲୀ ଖେଳାଳି ଲକ୍ଷ୍ନୌ ସମ୍ମୁଖରେ ମୁଣ୍ଡ ନୁଆଇଁଥିଲେ । ଦିଲ୍ଲୀ ପକ୍ଷରୁ ଓ୍ବାର୍ନର ସର୍ବାଧିକ ୫୬ ରନ କରିଥିବା ବେଳେ ରସଉ ୩୦, ଅକ୍ସର ପଟେଲ ୧୬ ଓ ପ୍ରଥିବି ସ ୧୨ ରନ କରିଥିଏ । ଅନ୍ୟ କୌଣସି ଖେଳାଳି ୨ ଅଙ୍କ ଛୁଇଁ ପରି ନଥିଲେ । ଲକ୍ଷ୍ନୌ ପକ୍ଷରୁ ମାର୍କ ଉଡ଼ ୫ଟି ଉଇକେଟ ହାସଲ କରିଥିବା ବେଳେ ଆଭେଶ ଖାନ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ଉଇକେଟ ନେଇଥିଲେ ।
