ଆଇପିଏଲ-୨୦୨୩ : ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ବାଙ୍ଗାଲୋର, ୮୧ ରନରେ ଜିତିଲା କୋଲକାତା
କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)୨୦୨୩ର ୯ମ ମ୍ୟାଚରେ ଗୁରୁବାର କୋଲକାତା ଇଡେନ ଗାର୍ଡେନରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । ଘରୋଇ ପଡ଼ିଆରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ ଦମ ଦେଖାଇଛି କୋଲକାତା । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୦୪ ରନ ସଂଗ୍ରହ କରିଥିଲା । ସାର୍ଦୁଲ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆରସିବି ଆଗରେ ୨୦୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା କୋଲକତା । ପରେ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲେ ବାଙ୍ଗାଲୋର ଖେଳାଳି । ଦଳ ୧୭.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା । ଫଳରେ ୮୧ ରନରେ ଏହି ମ୍ୟାଚକୁ ଜିତି କେକେଆର ପ୍ରଥମ ବିଜୟ ହାସଲ କରିଛି ।
କୋଲକାତାର ଇଡେନ ଗାର୍ଡେନରେ ବାଙ୍ଗାଲୋର ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। କୋଲକାତାର ପାଳି ଆରମ୍ଭ କରିଥିଲେ ଗୁରବାଜ୍ ଓ ଭେଙ୍କଟେସ୍ ଆୟର। ଉଭୟ ପ୍ରଥମ ୱିକେଟ୍ ପାଇଁ ୨୬ ରନ୍ ଯୋଡ଼ିଥିଲେ। ଆୟର ବ୍ୟକ୍ତିଗତ ଭାବେ ମାତ୍ର ୩ ରନ୍ ସଂଗହ କରି ପାଭଲିଅନ୍ ଫେରିଯାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମନଦୀପ ସିଂହ ଗୋଟିଏ ବଲ୍ ଖେଳି ବିନା ରନ୍ରେ ଓ ନୀତିଶ ରାଣା ୧ ରନ୍ କରି ବୋଲ୍ଡ ହୋଇଥିଲେ। କୋଲକାତା ୪୭ ରନ୍ରେ ଆଗଧାଡ଼ିର ୩ ଜଣଙ୍କୁ ହରାଇ ସାରିଥିଲା। ତେବେ ୪ର୍ଥ ୱିକେଟ୍ରେ ଗୁରବାଜଙ୍କୁ ରିଙ୍କୁ ସିଂହ ଭଲ ସହଯୋଗ କରି ୪୨ ରନ୍ର ଭାଗିଦାରୀ ହୋଇପାରିଥିଲେ। ଗୁରବାଜ ୪୪ଟି ବଲ୍ ସାମ୍ନା କରି ୬ଟି ଚୌକା ଓ ୩ଟି ଛକା ବଳରେ ୫୭ ରନ୍ ସଂଗ୍ରହ କରିଥିଲେ। ରିଙ୍କୁ ସିଂହଙ୍କ ବ୍ୟାଟରୁ ୪୬ ରନ୍ ସଂଗୃହିତ ହୋଇଥିଲା। ସେ ୩୩ଟି ବଲ୍ ଖେଳି ୨ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଶାର୍ଦ୍ଦୁଳ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୨୯ଟି ବଲ୍ ଖେଳି ୯ଟି ଚୌକା ଓ ୩ଟି ଛକା ସହାୟତାରେ ନିଜସ୍ବ ବଳରେ ୬୮ ରନ୍ ଯୋଡ଼ିଥିଲେ। ବାଙ୍ଗାଲୋର ପାଇଁ ଡେଭିଡ ୱେଲି ଓ କର୍ଣ୍ଣ ଶର୍ମାଙ୍କୁ ସର୍ବାଧିକ ୨-୨ଟି ୱିକେଟ୍ ମିଳିଥିଲା। ସେହିପରି ମହମ୍ମଦ ସିରାଜ, ମିଚେଲ ବ୍ରାସୱେଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
