ଆଇପିଏଲ-୨୦୨୩ : ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଦିଲ୍ଲୀର ଚମତ୍କାର ବୋଲିଂ, ୭ ରନରେ ହାରିଲା ହାଇଦ୍ରାବାଦ୍
Axar Patel of Delhi Capitals celebrates the wicket of Mayank Agarwal of Sunrisers Hyderabad during match 34 of the Tata Indian Premier League between the Sunrisers Hyderabad and the Deli Capitals held at the Rajiv Gandhi International Stadium, Hyderabad on the 24th April 2023 Photo by: Faheem Hussain / SPORTZPICS for IPL
ହାଇଦ୍ରାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୪ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ହାଇଦ୍ରାବାଦ୍ ହରାଇ ଦ୍ଵିତୀୟ ବିଜୟ ହାସଲ କରିଛି ଦିଲ୍ଲୀ ।
ପୁଣି ଥରେ ଆଇପିଏଲ୍ରେ ଲୋ ସ୍କୋରିଂ ମ୍ୟାଚ୍ରେ ରୋମାଞ୍ଚକର ସଂଘର୍ଷ ଦେଖିବାକୁ ମିଳିଛି। ଦିଲ୍ଲୀ ୧୪୪ ରନ କରିଥିଲେ ହେଁ ଅକ୍ଷର ପଟେଲ୍ଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଏବଂ ବୋଲରଙ୍କ ଶାଣିତ ବୋଲିଂ ବଳରେ ୭ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ତାରି ମାଟିରେ ହରାଇଛି । କ୍ରମାଗତ ୫ଟି ମ୍ୟାଚ୍ ହାରିବା ପରେ ଦିଲ୍ଲୀ ଲଗାତାର ଦ୍ଵିତୀୟ ବିଜୟ ହାସଲ କରିଛି। ବ୍ୟାଟରଙ୍କ ବିଫଳତା କାରଣରୁ ହାଇଦ୍ରାବାଦ ୭ମ ମ୍ୟାଚ୍ରୁ ୫ମ ପରାଜୟ ଭୋଗିଛି।
ଦୁଇ ଦଳ ପଏଣ୍ଟ ଟେବୁଲର ଶେଷ ଦୁଇଟି ସ୍ଥାନରେ ଅଛନ୍ତି। ଶେଷ ଓଭରରେ ହାଇଦ୍ରାବାଦକୁ ଜିତିବା ପାଇଁ ୧୩ ରନ ଦରକାର ଥିଲା। ମାତ୍ର ମୁକେଶ କୁମାର ମାପଚୁପ ବୋଲିଂ କରି ମାତ୍ର ୫ ରନ ଦେଇ ଦିଲ୍ଲୀକୁ ଚମତ୍କାର ବିଜୟ ଦେଇଛନ୍ତି। ଦିଲ୍ଲୀ ଦ୍ଵାରା ଧାର୍ଯ୍ୟ ୧୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ୬ ଓ୍ଵିକେଟ୍ ହରାଇ ୧୩୭ ରନରେ ସୀମିତ ରହିଛି। ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ବ୍ୟାଟିଂରେ ୩୪ ରନ କରିବା ସହ ବୋଲିଂରେ ୪ ଓଭରରେ ୨୧ ରନରେ ୨ ଓ୍ଵିକେଟ୍ ନେଇ ଦଳ ବିଜୟରେ ହିରୋ ସାଜିଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ବିନିମୟରେ ୧୪୪ ରନ କରିଥିଲା। ମନୀଷ ପାଣ୍ଡେ ଏବଂ ଅକ୍ଷର ପଟେଲ୍ ପ୍ରତ୍ୟେକ ୩୪ ରନ ଲେଖାଏଁ କରିଥିଲେ। ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ୨୧ ରନ ଏବଂ ମିଚେଲ୍ ମାର୍ଶ ୨୫ ରନ କରିଥିଲେ ହେଁ ବଡ ଇନିଂସ ଖେଳି ପାରି ନାହାନ୍ତି। ଫିଲିପ ସଲ୍ଟ ଖାତା ଖୋଲି ପାରିନଥିଲେ। ବୋଲିଂରେ ହାଇଦ୍ରାବାଦ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ୨୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଭୁବନେଶ୍ଵର କୁମାର ମାତ୍ର ୧୧ ରନ ଦେଇ ୨ଟି ସଫଳତା ନେଇଥିଲେ।
୧୪୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରବାଦ ବ୍ୟାଟର ମନ୍ଥର ବ୍ୟାଟିଂ କରିଥିଲେ। ମୟଙ୍କ ଅଗ୍ରଓ୍ଵାଲ ସର୍ବାଧିକ ୪୯ ରନ କରିଥିଲେ। ହ୍ୟାରି ବ୍ରୁକ ୭ ରନ ଏବଂ ରାହୁଲ ତ୍ରିପାଠୀ ୧୫ ରନ କରି ପାଭିଲିୟନ ଫେରିଥିଲେ। ଅଭିଷେକ ଶର୍ମା(୫) ଏବଂ ଅଧିନାୟକ ଆଡମ ମାରକ୍ରମ(୩) ଆଉଟ୍ ହେବା ହାଇଦ୍ରାବାଦକୁ ଚାପରେ ପକାଇଥିା। ହେନରିଚ୍ କ୍ଲାସେନ ଦ୍ରୁତ ବ୍ୟାଟିଂ କରି ୧୯ ବଲ୍ରୁ ୩ ଚୌକା ଏବଂ ୧ ଛକା ସହାୟତାରେ ୩୧ ରନ କରିଥିଲେ ହେଁ ଦଳକୁ ବିଜୟୀ କରିପାରିନଥିଲେ। ତାଙ୍କ ଆଉଟ୍ ହେବା ସହ ହାଇଦ୍ରାବାଦର ବିଜୟ ଆଶା ମଉଳି ଯାଇଥିଲା। ଓ୍ଵାଶିଂଟନ ସୁନ୍ଦର ଅପରାଜିତ ୨୪ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ଏବଂ ଅନରିଚ୍ ନୋର୍ତ୍ତଜେ ପ୍ରତ୍ୟେକ ୨ଟି ଓ୍ଵିକେଟ୍ ନେଇଥିଲେ। ଇଶାନ୍ତ ଶର୍ମା ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍ ଦଖଲ କରିଥିଲେ।
