ଆଇପିଏଲ-୨୦୨୨ : ଆଜି ମୁମ୍ୱାଇ-ପଞ୍ଜାବ ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ
ପୁଣେ : ଆଇପିଏଲ-୨୦୨୨ର ୨୩ତମ ମ୍ୟାଚରେ ବୁଧବାର ପୁଣେରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ ମୁକାବିଲା ଦେଖିବାକୁ ମିଳିବ । ପଞ୍ଜାବ ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ନବମରେ ରହିଛି । ମୁମ୍ବାଇ ଅପେକ୍ଷା ପଞ୍ଜାବର ବ୍ୟାଟିଂ ଓ ବୋଲିଂ ଦୃଢ ରହିଛି। ଆଇପିଏଲରେ ମୁମ୍ବାଇ ଚାରି ମ୍ୟାଚ୍ ଖେଳି ଚାରୋଟିରେ ହାରିଛି। ଦଳ ବହୁତ ଚାପରେ ରହିଛି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ଚାରି ମ୍ୟାଚ୍ରୁ ଦୁଇଟି ଜିତିଛି, ଦୁଇଟି ହାରିଛି।
ଦୁଇ ଦଳ ଭିତରେ ମୁକାବିଲା ବେଶ ରୋମାଞ୍ଚକର ହେବା ନେଇ ଦର୍ଶକଙ୍କ ଆଶା। ମୁମ୍ବାଇ ପାଇଁ ଗତ ଦୁଇ ମ୍ୟାଚରେ ଭଲ ବ୍ୟାଟିଂ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ଇଷାନ କିଶନ ଏବଂ ତିଳକ ବର୍ମା ମଧ୍ୟ ଫର୍ମରେ ଅଛନ୍ତି। ଅଧିନାୟକ ରୋହିତ ଶର୍ମା ଏ ଯାଏଁ ଫ୍ଲପ୍ ରହିଛନ୍ତି। ଦଳର ବୋଲିଂ ସବୁଠୁ ଦୁର୍ବଳ ରହିଛି। ଯଶପ୍ରୀତ ବୁମରାଙ୍କୁ ସହାୟତା କରିବା ଭଳି କେହି ବୋଲର ନାହାନ୍ତି। ଦଳ ସିଜିନରେ ପ୍ରଥମ ବିଜୟ ଅପେକ୍ଷାରେ ରହିଛି। ଅନ୍ୟପଟେ ପଞ୍ଜାବର ପ୍ରଦର୍ଶନ ମିଶ୍ରିତ ରହିଛି। ମୟଙ୍କ ଅଗ୍ରଓ୍ଵାଲ, ଶିଖର ଧାଓ୍ଵନ, ରାଜପକ୍ଷେ, ଲିଭିଙ୍ଗଷ୍ଟୋନକୁ ନେଇ ପଞ୍ଜାବ କିଙ୍ଗ୍ସ ଦଳର ବ୍ୟାଟିଂ ଅର୍ଡର ବେଶ ମଜବୁତ ରହିଛି। ଲିଭିଙ୍ଗଷ୍ଟୋନ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ରହିଛନ୍ତି। ବୋଲିଂରେ କାଗିସୋ ରାବଡା, ରାହୁଲ ଚହର ଏବଂ ଅର୍ଶଦୀପ ସିଂହ ପରି ବୋଲର ଅଛନ୍ତି । ଯଦି ରେକର୍ଡ ଉପରେ ନଜର ପକାଯାଏ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରି ରହିଛି। ତଥାପି ଦୁଇ ଦଳ ମଧ୍ୟରେ ବ୍ୟବଧାନ ଦୁଇ ରହିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଛି ୨୮ ମ୍ୟାଚ୍। ଏଥିରୁ ମୁମ୍ବାଇ ୧୫ ଏବଂ ପଞ୍ଜାବ ୧୩ଟି ମ୍ୟାଚ୍ ଜିତିଛି। ଦେଖିବା ବାକି ରହିଲା ମୁମ୍ବାଇ ସିଜିନର ପ୍ରଥମ ବିଜୟ ହାସଲ କରୁଛି ନା ପଞ୍ଜାବ ବାଜି ମାରୁଛି।
ମୁମ୍ବାଇ ଇଣ୍ଡିଆନ୍ସ ଚୂଡାନ୍ତ ଏକାଦଶ :
ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଟିମ୍ ଡେଭିଡ, କିରଣ ପୋଲାର୍ଡ, ଫାବିଆନ ଏଲନ, ଜୟଦେବ ଉନାଦକତ, ମୁରୁଗନ ଅଶ୍ଵିନ, ଯଶପ୍ରୀତ ବୁମରା, ବାସିଲ ଥମ୍ପି।
ପଞ୍ଜାବ କିଙ୍ଗ୍ସ ଚୂଡାନ୍ତ ଏକାଦଶ :
ମୟଙ୍କ ଅଗ୍ରଓ୍ଵାଲ(ଅଧିନାୟକ), ଶିଖର ଧାଓ୍ଵନ, ଲିୟାମ ଲିଭିଙ୍ଗଷ୍ଟୋନ, ଜୋନି ବେୟାରଷ୍ଟୋ(ଓ୍ଵିକେଟ୍ କିପର), ଭାନୁକ ରାଜପକ୍ଷେ, ଶାହରୁଖ ଖାନ, ଋଷି ଧାଓ୍ଵନ, କାଗିସୋ ରାବଡା, ରାହୁଲ ଚହର, ବୈଭର ଆରୋରା, ଅର୍ଶଦୀପ ସିଂହ।
