ଆଇପିଏଲ୍-୨୦୨୨ : ମୁମ୍ବାଇକୁ ୨୦୦ ରନ ଟାର୍ଗେଟ୍ ଦେଲା ଲକ୍ଷ୍ନୌ
ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଆଇପିଏଲ-୨୦୨୨ର ୨୬ତମ ମ୍ୟାଚରେ ମୁମ୍ବାଇ ଓ ଲକ୍ଷ୍ନୌ ମୁକାବିଲା ଜାରି ରହିଛି । ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲଙ୍କ ବିସ୍ଫୋରକ ଶତକୀୟ ଇନିଂସ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌକୁ ଅଧିନାୟକ କେଏଲ ରାହୁଲ ଏବଂ କ୍ଵିଣ୍ଟନ ଡିକକ ଦମଦାର ଆରମ୍ଭ ଦେଇଥିଲେ । ୫.୩ ଓଭରରେ ୫୨ ରନ ଯୋଡିଥିଲେ। ଡି କକ୍ ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ଏବଂ ମନୀଷ ପାଣ୍ଡେ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ରେ ୭୨ ରନ ଯୋଡିଥିଲେ। ମନୀଷ ପାଣ୍ଡେ ୨୯ ବଲରୁ ୬ ଚୌକା ସହ ୩୮ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ରାହୁଲ ଦମଦାର ବ୍ୟାଟିଂ କରିଥିଲେ ଚଳିତ ଆଇପିଏଲରେ ଦ୍ଵିତୀୟ ବ୍ୟାଟସମ୍ୟାନ ଭାବେ ଶତକ ଅର୍ଜନ କରିଥିଲେ। ଆଇପିଏଲରେ ଏହା ତାଙ୍କର ତୃତୀୟ ଶତକ। କେଏଲ ୬୦ ବଲରୁ ୯ ଚୌକା ଏବଂ ୫ ଛକା ସହ ୧୦୩ ରନ କରି ଅପରାଜିତ ଥିଲେ। ଅଧିନାୟକଙ୍କ ବିସ୍ଫୋରକ ଶତକ ବଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୯ କରିଛି । ମୁମ୍ବାଇ ପକ୍ଷରୁ ଜୟଦେବ ଉନାଦକତ ୩୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମୁରୁଗନ ଅଶ୍ଵିନ ଏବଂ ଟାଇମଲ ମିଲ୍ସ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି ।
