ଆଇପିଏଲ-୨୦୨୨ : ଦିଲ୍ଲୀକୁ ୧୪୭ ରନ୍ର ଟାର୍ଗେଟ୍ ଦେଲା କୋଲକାତା
ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୨ର ୪୧ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍ ରାଇଡର୍ସ । ନିଜର ପୁରୁଣା ଟିମ୍ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ପୁଣିଥରେ ଚମକିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଯାଦବ। ପୁଣିଥରେ କୋଲାକତା ବିପକ୍ଷରେ ୪ଟି ୱିକେଟ ଦଖଲ କରିଛନ୍ତି କୁଲଦୀପ। ଦିଲ୍ଲୀ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କୋଲାକତା ନିର୍ଦ୍ଧାରିତ ୨୦ ଓଭର୍ରେ ୯ ୱିକେଟ ହରାଇ ୧୪୬ ରନ୍ କରିପାରିଛି। ଫଳରେ ଦିଲ୍ଲୀକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୪୭ ରନର ଟାର୍ଗେଟ ମିଳିଛି। କୁଲଦୀପ ୩ ଓଭର୍ରେ ୧୪ ରନ୍ ଦେଇ ୪ ୱିକେଟ ନେଇଥିବା ବେଳେ ମୁସ୍ତାଫିଜୁର ୪ ଓଭର୍ରେ ୧୮ ରନ୍ ଦେଇ ୩ଟି, ଚେତନ ସକାରିୟ ୧ ଓ ଅକ୍ଷର ପଟେଲ ଗୋଟିଏ ସଫଳତା ପାଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା କୋଲକାତା ଦ୍ୱିତୀୟ ଓଭର୍ରେ ଆରୋନ ଫିଞ୍ଚ(୩)ଙ୍କୁ ହରାଇଥିଲା। ତାଙ୍କୁ ଦିଲ୍ଲୀ ପାଇଁ ଡେବ୍ୟୁ କରୁଥିବା ଚେତନ ସକାରିୟାର କ୍ଲିନବୋଲ୍ଟ କରି ଦେଇଥିଲେ। ଏହାପରେ ଭେଙ୍କଟେଶ ଆୟର(୬)ଙ୍କୁ ଅକ୍ଷର ପଟେଲ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା କୁଲଦୀପ ଯାଦବଙ୍କ ଜଲୱା। ସେ ୭ମ ଓଭର୍ର ଦ୍ୱିତୀୟ ବଲରେ ବାବା ଇନ୍ଦ୍ରଜିତ(୬) ଓ ତୃତୀୟ ବଲରେ ସୁନୀଲ ନାରିନ(୦)ଙ୍କୁ ଆଉଟ କରି କୋଲକାତାକୁ ଯୁଗଳ ଝଟକା ଦେଇଥିଲେ। ୩୫ ରନ୍ରେ ୪ଟି ୱିକେଟ ହରାଇ ସଂଘର୍ଷ କରୁଥିବା କୋଲକାତା ପାଇଁ ଲଢ଼େଇ ଆରମ୍ଭ କରିଥିଲେ ଅଧିନାୟକ ଶ୍ରେୟସ ଆୟର ଓ ନୀତୀଶ ରାଣା। ଉଭୟ ୫ମ ୱିକେଟ ପାଇଁ ୪୮ ରନ୍ ଯୋଡ଼ି ଦଳୀୟ ସ୍କୋରକୁ ୮୩ରେ ପହଞ୍ଚାଇ ଥିଲେ। ଶ୍ରେୟସ(୪୨) ଅର୍ଦ୍ଧଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ କୁଲଦୀପ ଯାଦବ ଆଉଟ କରି ସବୁ ଆଶାରେ ପାଣି ପକାଇ ଦେଇଥିଲେ। ସେହି ଓଭର୍ର ୪ର୍ଥ ବଲରେ ଦିଲ୍ଲୀକୁ ସବୁଠାରୁ ବଡ଼ ସଫଳତା ମିଳିଥିଲା। ବିସ୍ଫୋରକ ଆନ୍ଦ୍ର ରସେଲ(୦)ଙ୍କୁ କୁଲଦୀପ ଷ୍ଟମ୍ପିଂ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ନୀତୀଶ ରାଣା ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲେ। ସେ ଶାର୍ଦ୍ଦୁଲ ଠାକୁରଙ୍କୁ ଛକା ମାରି ମାତ୍ର ୩୦ଟି ବଲ୍ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ବଡ଼ବଡ଼ ଶଟ ଖେଳି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ରିଙ୍କୁ ସିଂହ ମଧ୍ୟ ଭରପୂର ସହଯୋଗ କରିଥିଲେ। ଉଭୟ ୭ ୱିକେଟ ପାଇଁ ଦଳୀୟ ସ୍କୋରୁ ୮୩ରୁ ନେଇ ୧୪୫ ରନ୍ରେ ପହଞ୍ଚାଥିଲେ। ତେବେ ଶେଷ ଓଭର୍ର ଦ୍ୱିତୀୟ ବଲରେ ରିଙ୍କୁ ସିଂହ(୨୩)ଙ୍କୁ ମୁସ୍ତାଫିଜର ରହମାନ ଆଉଟ କରିଥିଲେ। ସେହିପରି ୪ର୍ଥ ବଲରେ ନୀତୀଶ ରାଣା(୫୭) ଓ ୫ମ ବଲରେ ଟିମ୍ ସାଉଦି(୦)ଙ୍କ ୱିକେଟ ନେଇଥିଲେ। କୋଲାକତା ପାଇଁ ମାତ୍ର ୩୪ ବଲ୍ରେ ୫୭ ରନ୍ କରିଥିବା ରାଣା ୪ଟି ଛକା ଓ ୩ଟି ଚୌକା ମାରିଛନ୍ତି।
