ଆଇପିଏଲ୍-୨୦୨୨ : ଟସ ଜିତି ରାଜସ୍ଥାନ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଲା କୋଲକାତା
ମୁମ୍ୱାଇ : ଆଇପିଏଲ୍-୨୦୨୨ର ୪୭ ତମ ମ୍ୟାଚରେ ସୋମବାର କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଏହାରି ମଧ୍ୟରେ ପଡିଥିବା ଟସ ଜିତି ରାଜସ୍ଥାନ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା।
କୋଲକାତା ନାଇଟ୍ ରାଇଡର୍ସ ଲଗାତାର ଷଷ୍ଠ ପରାଜୟକୁ ଏଡାଇବାକୁ ପଡିଆକୁ ଓହ୍ଲାଇବ । ପଏଣ୍ଟ ଟେବୁଲ ତୃତୀୟ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ମଧ୍ୟ ନିଜର ବିଜୟ ଧାରାକୁ ଜାରି ରଖିବାକୁ ପ୍ରୟାସ କରିବ। ଦୁଇ ଟିମ ମଧ୍ୟରେ ମୁମ୍ୱାଇର ୱାଙ୍ଖଡେରେ ଖେଳାଯିବା ଏହି ମ୍ୟାଚ। ପ୍ଲେ ଅଫକୁ ଯିବା ପାଇଁ ହେଲେ କୋଲକାତାକୁ ଏହି ମ୍ୟାଚ ଜିତିବା ଜରୁରୀ। ପଏଣ୍ଟ ଟେବୁଲରେ ଅଷ୍ଟମରେ ସ୍ଥାନରେ ଥିବା କୋଲକାଲା ନାଇଟ ରାଇଡର୍ସ ତିନୋଟି ମ୍ୟାଚ ଜିତିଥିବା ବେଳେ ଲାଗାତାର ୫ଟି ମ୍ୟାଚରେ ପରାସ୍ତ ହୋଇସାରିଛି। ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସକୁ ୪ ୱିକେଟରେ ପରାଜିତ କରିଥିଲା। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଚଳିତ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛି। ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ଛଅଟି ବିଜୟ ଏବଂ ତିନୋଟି ପରାଜୟ ସହ ତୃତୀୟ ସ୍ଥାନରେ ରହିଛି। ଶେଷ ମ୍ୟାଚରେ ରାଜସ୍ଥାନ ରାୟଲ୍ସ ମୁମ୍ୱାଇ ଠାରୁ ୫ ୱିକେଟରେ ପରାଜିତ ହୋଇଥିଲା।
ଆଇପିଏଲ ୨୦୨୨ରେ ଦମଦାର ଆରମ୍ଭ କରିଥିବା ରାଜସ୍ଥାନ ରୟାଲ୍ସ ଗତ ମ୍ୟାଚ୍ରେ ପରାଜିତ ହୋଇଥିଲା। ତେବେ ରାଜସ୍ଥାନର ସବୁ ଖେଳାଳି ଭଲ ଫର୍ମରେ ଅଛନ୍ତି । ଜୋସ୍ ବଟଲର, ସଞ୍ଜୁ ସାମସନ ଭଲ ଖେଳୁଛନ୍ତି । ତେବେ ବୋଲିଂରେ ଦଳ ସାମାନ୍ୟ ଦୁର୍ବଳ ରହିଛି। ଯଦି ରାଜସ୍ଥାନକୁ କୋଲକାତା ବିପକ୍ଷ ମୁକାବିଲା ଜିତିବାକୁ ହୁଏ ତେବେ ଓପନିଂ ବ୍ୟାଟରଙ୍କ ସହ ବୋଲରଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ନିଜର ଲୟ ହରାଇଥିବା ନଜର ଆସୁଛି। ଗତ ମ୍ୟାଚ୍ରେ ଦଳର ବୋଲିଂ ଦୁର୍ବଳ ରହିଥିଲା। ଦଳର ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ଏହି ସିଜିନ ଏ ଯାଏଁ ନିରାଶଜନକ ରହିଛି। ଦଳର ଏହି ଟ୍ରମ୍ପ କାର୍ଡକୁ ନିଜର କମାଲ ଦେଖାଇବାକୁ ପଡିବ। ଗତ ସିଜିନରେ କେକେଆର ପାଇଁ ଧମାଲ କରିଥିବା ଭେଙ୍କଟେଶ ଆୟର ମଧ୍ୟ ଫର୍ମରେ ନାହାନ୍ତି। ମୋଟାମୋଟି ଆଜିର ମ୍ୟାଚ୍ କେକେଆର ପାଇଁ ପରୀକ୍ଷା ସଦୃଶ ହେବ। ଦଳ ଏହି ମୁକାବିଲା ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ । ନଚେତ ଦଳ ପାଇଁ ପ୍ଲେ ଅଫ କଷ୍ଟକର ହୋଇପାରେ ।
କୋଲକାତା ନାଇଟ୍ ରାଇଡର୍ସ : ଆରୋନ ଫିଞ୍ଚ୍, ସୁନିଲ ନାରିନେ, ଶ୍ରେୟସ ଆୟର(ଅଧିନାୟକ), ବାବା ଇନ୍ଦ୍ରଜିତ(ଓ୍ଵିକେଟ୍ କିପର), ନୀତିଶ ରାଣା, ଅନୁକୂଳ ରୟ, ଆନ୍ଦ୍ରେ ରସେଲ, ରଙ୍କୁ ସିଂହ, ଉମେଶ ଯାଦବ, ଟିମ ସାଉଦି, ବରୁଣ ଚକ୍ରବର୍ତ୍ତୀ।
ରାଜସ୍ଥାନ ରୟାଲ୍ସ : ଜୋସ୍ ବଟଲର, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଅଧିନାୟକ/ଓ୍ଵିକେଟ୍ କିପର), କରୁଣ ନାୟର, ସିମରନ ହେଟମାୟର, ରିୟାନ ପରାଗ, ଆର ଅଶ୍ଵିନ, ଟ୍ରେଣ୍ଟ ବୋଲ୍ଟ, ୟୁଜବେନ୍ଦ୍ର ଚହଲ, କୁଲଦୀପ ସେନ, ପ୍ରସିଦ୍ଧ କୃଷ୍ଣା।
