ଆଇପିଏଲ୍-୨୦୨୨ : ଅଲୋଡ଼ା କୀର୍ତ୍ତିମାନ ସ୍ଥାପନ କଲେ ରାହୁଲ ଓ ମାଭି
ପୁନେ : ଆଇପିଏଲ୍-୨୦୨୨ରେ ଶନିବାର ପରସ୍ପର ବିରୋଧରେ ଖେଳିଥିବା ଦୁଇ ଭାରତୀୟ ଖେଳାଳି କେଏଲ୍ ରାହୁଲ ଓ ଶିବମ ମାଭି ବ୍ୟକ୍ତିଗତ ଭାବେ ଅଲୋଡ଼ା କୀର୍ତ୍ତିମାନ କରିଛନ୍ତି। ଚଳିତ ସିଜନରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ କେଏଲ୍ ରାହୁଲ ତୃତୀୟ ଥର ପାଇଁ ଶୂନରେ ଆଉଟ୍ ହୋଇଛନ୍ତି। ୱାଙ୍ଖ୍ଡେରେ ଦୁଇ ଥର ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମ ବଲ୍ରେ ଆଉଟ ହୋଇଥିବା ରାହୁଲ ଶନିବାର ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ କୌଣସି ବଲ୍ ସମ୍ମୁଖୀନ ହେବା ପୂର୍ବରୁ ରନ୍ ଆଉଟ୍ ହୋଇଯାଇଥିଲେ। ୱାଙ୍ଖ୍ଡେର ଉଭୟ ମ୍ୟାଚ୍ରେ ଲକ୍ଷ୍ନୌ ହାରିଯାଇଥିଲା।
ଅନ୍ୟପକ୍ଷରେ ଲକ୍ଷ୍ନୌ ପାଳିର ୧୯ତମ ଓଭର ବୋଲିଂ କରିଥିବା ଯୁବ ଦ୍ରୁତ ବୋଲର ଶିବମ ମାଭି ୫ ଛକାର ଶିକାର ହୋଇ ମୋଟ ୩୦ ରନ୍ ବ୍ୟୟ କରିଥିଲେ। ପ୍ରଥମ ୩ ବଲ୍କୁ ମାର୍କସ ଷ୍ଟୋଇନିସ୍ ଛକା ମାରିବା ପରେ ଚତୁର୍ଥ ବଲରେ ଆଉଟ୍ ହୋଇଯାଇଥିଲେ। ତେବେ ଶେଷ ଦୁଇ ବଲ୍କୁ ଜାସନ୍ ହୋଲ୍ଡର ଛକା ମାରିବାରେ ସକ୍ଷମ ହୋଇଥିଲେ। ଆଇପିଏଲ୍ ଇତିହାସରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏହା ଥିଲା ସର୍ବାଧିକ ରନ୍ ବ୍ୟୟ ଓଭର। ୨୦୧୮ରେ କୋଲକାତାରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୮ ରନ୍ ଏବଂ ସେହିବର୍ଷ ଦିଲ୍ଲୀରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୯ ରନ୍ ବ୍ୟୟ କରିଥିଲା ଏହି ଦୁଇ ଥର ବିଜେତା ଦଳ। ସବୁଠାରୁ ବଡ଼ ସଂଯୋଗ ହେଉଛି ଏହି ସମସ୍ତ ୩ ଥର ଯାକ ବୋଲର ଥିଲେ ଶିଭମ ମାଭି।
