ଆଇପିଏଲ-୨୦୨୨ : ୧୨ତମ ଲିଗ୍ ମ୍ୟାଚ୍ରେ ହାଇଦ୍ରାବାଦ-ଲକ୍ଷ୍ନୌ ମୁକାବିଲା
ମୁମ୍ବାଇ : ଆଇପିଏଲ-୨୦୨୨ରେ ସୋମବାର ୧୨ତମ ଲିଗ୍ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏହି ମ୍ୟାଚ୍ରେ ବିଜୟ ସହ ହାଇଦ୍ରାବାଦ ପଏଣ୍ଟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଥିବା ବେଳେ ଲକ୍ଷ୍ନୌ ଦ୍ୱିତୀୟ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛି ।
ସନରାଇଜର୍ସ ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜିତ ହୋଇଥିଲା । ସବୁ ବିଭାଗରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ବୋଲରମାନେ ଅତିରିକ୍ତ ରନ୍ ଅପଚୟ କରିଥିଲେ । ବ୍ୟାଟରମାନେ ୨୧୦ ରନ୍ର ବିଶାଳ ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହୋଇଥିଲେ । ସୁପରଜାଏଣ୍ଟ୍ସକୁ ହରାଇବାକୁ ହେଲେ ପ୍ରଥମେ ବୋଲିଂ ବିଭାଗକୁ ସୁଦୃଢ କରିବାକୁ ପଡ଼ିବ। ଦଳରେ ଦକ୍ଷ ବୋଲରଙ୍କ ଅଭାବ ନାହିଁ । ଭୁବନେଶ୍ୱର କୁମାର, ଟି ନଟରାଜନ, ଉମ୍ରାନ ମଲିକ୍, ରୋମାରିଓ ସେଫର୍ଡଙ୍କ ଭଳି ପେସ୍ ବୋଲର ରହିଛନ୍ତି। ହେଲେ ଦଳ ରସିଦ ଖାନ୍ଙ୍କ ଭଳି ସ୍ପିନରଙ୍କ ଅନୁପସ୍ଥିତି ଅନୁଭବ କରୁଛି । ଦଳର ବ୍ୟାଟିଂ ବିଭାଗ ଦୁର୍ବଳ ମନେ ହେଉଛି । କେନ ୱିଲିୟମସନ, ନିକୋଲାସ ପୂରନ ଓ ଆଡେନ ମାରକ୍ରମ ଦକ୍ଷତା ମୁତାବକ ପ୍ରଦର୍ଶନ କଲେ ସନରାଇଜର୍ସର ବିଜୟ ସହଜ ହେବ । ଆଜି ୱାସିଂଟନ ସୁନ୍ଦରଙ୍କ ଉପରେ ନଜର ରହିବା ସ୍ୱାଭାବିକ ।
ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହୋଇଥିଲା । ହେଲେ ଦ୍ୱିତୀୟ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା । ବର୍ତ୍ତମାନ ଦଳର ମନୋବଳ ଦ୍ୱିଗୁଣିତ ରହିଛି । ଅଧିନାୟକ ଲୋକେଶ ରାହୁଲ ଫର୍ମକୁ ନେଇ ସଂଘର୍ଷ କରୁଥିଲେ ହେଁ ଏଭିନ ଲୁଇସ, ଦୀପକ ହୁଡ଼ା ପ୍ରମୁଖ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ନବାଗତ ଆୟୂଷ ବାଦୋନି ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ତାଙ୍କ ପ୍ରଦର୍ଶନ କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଛି । ଆଜିର ମ୍ୟାଚ୍ରେ ମଧ୍ୟ ବାଦୋନିଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଇପାରେ ।
