ଆଇପିଏଲ୍-୨୦୨୨ : ୨୫ତମ ଲିଗ୍ ମ୍ୟାଚ୍ରେ ହାଇଦ୍ରାବାଦ-କୋଲକାତା ମୁକାବିଲା
ମୁମ୍ବାଇ : ଆଇପିଏଲ୍-୨୦୨୨ରେ ଶୁକ୍ରବାର ୨୫ତମ ଲିଗ୍ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଏଯାବତ ଚଳିତ ସିଜନରେ ହାଇଦ୍ରାବାଦ ସେଭଳି ଉନ୍ନତ ପ୍ରଦର୍ଶନ କରି ନଥିବା ବେଳେ ମୋଟ ୪ଟି ମ୍ୟାଚରୁ ୨ଟି ମ୍ୟାଚ ଜିତି ୪ ପଏଣ୍ଟ ହାସଲ କରିଛି । ସେହିପରି କୋଲକାତା ମୋଟ ୫ଟି ମ୍ୟାଚ ଖେଳି ୩ଟି ମ୍ୟାଚ ଜିତି ୬ ପଏଣ୍ଟ ହାସଲ କରି ଟେବୁଲର ୨ ନଂ.ରେ ରହିଛି । ଫଳରେ ଆଜିର ମ୍ୟାଚ ଜିତି କୋଲକାତା ୧ ନଂ. ସ୍ଥାନ ହାସଲ ଲକ୍ଷ୍ୟ ରଖିଥିବା ବେଳେ ହାଇଦ୍ରାବାଦ ମଧ୍ୟ ବିଜୟ ଲକ୍ଷ୍ୟରେ ପଡିଆକୁ ଓଲ୍ହାଇବ ।
କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତିବା ପରେ ହାଇଦ୍ରାବାଦର ମନୋବଳ ବୃଦ୍ଧି ପାଇଛି । ଶୁକ୍ରବାର ମ୍ୟାଚ୍ରେ ବିଜୟ ଧାରା ଜାରି ରଖିବାକୁ କେନ ୱିଲିୟନସନଙ୍କ ଦଳ ଲକ୍ଷ୍ୟ ରଖିଛି । ପୁଣି ଥରେ ଶୃଙ୍ଖଳିତ ବୋଲିଂକୁ ଆଧାର କରି ହାଇଦ୍ରାବାଦ ବିପର୍ଯ୍ୟୟ ଘଟାଇବ । ଭୁବନେଶ୍ୱର କୁମାର ଫର୍ମ ଫେରି ପାଇବା ଦଳ ପାଇଁ ଶୁଭ ସଂକେତ । ତଥାପି ରାହୁଲ ତ୍ରିପାଠୀ ଓ ୱାସିଂଟନ ସୁନ୍ଦରଙ୍କ ଆହତ ସମସ୍ୟା ଦଳକୁ ପ୍ରଭାବିତ କରିବ ।
୪ ଦିନର ବିଶ୍ରାମ ପରେ କୋଲକାତା ଗ୍ରାଉଣ୍ଡ୍କୁ ଓହ୍ଲାଇବ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପରାଜୟକୁ ଭୁଲି ପୁଣି ଥରେ ଲୟକୁ ଫେରିବ । ତଥାପି ବ୍ୟାଟିଂ ବିଭାଗକୁ ନେଇ ଦଳର ଚିନ୍ତା ରହିଛି । ଭେଟେରାନ ଅଜିଙ୍କ୍ୟ ରାହାଣେଙ୍କ ବ୍ୟାଟ୍ରୁ ଉପଯୋଗୀ ଇନିଂସ ଆଶା କରାଯାଉଛି । ଦଳର ବୋଲିଂ ବିଭାଗ ବେଶ ସୁଦୃଢ । ବୋଲିଂରେ ବିଭିନ୍ନତା ରହିଥିବାରୁ ନାଇଟ ରାଇଡର୍ସ ସ୍ୱତନ୍ତ୍ର । ମଧ୍ୟ କ୍ରମ ବ୍ୟାଟରମାନେ ସଫଳ ହେଲେ ନାଇଟ ରାଇଡର୍ସ ବିଜୟକୁ ଫେରିପାରିବ।
