ଆଇପିଏଲ୍-୨୦୨୨ : ଇତିହାସ ରଚିଲା ଗୁଜୁରାଟ, ରାଜସ୍ଥାନକୁ ହରାଇ ପ୍ରଥମଥର ପାଇଁ ହେଲା ଚାମ୍ପିୟନ
Hardik Pandya Captain of Gujarat Titans with teammates during match 62 of the TATA Indian Premier League 2022 (IPL season 15) between the Chennai Superkings and the Gujarat Titans held at the Wankhede Stadium in Mumbai on the 15th May 2022 Photo by Deepak Malik / Sportzpics for IPL
ଅହମଦାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ଫାଇନାଲ୍ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ସ୍ଥାନୀୟ ଅହମଦାବାଦ୍ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଛି । ଏହି ମ୍ୟାଚରେ ଇତିହାସ ରଚିଲା ଗୁଜୁରାଟ । ରାଜସ୍ଥାନକୁ ହରାଇ ପ୍ରଥମ ସିଜନରେ ହିଁ ଟ୍ରଫି ନିଜ ନାମରେ କରିଛି ଗୁଜୁରାଟ । ବୋଲିଂ ଏବଂ ବ୍ୟାଟିଂ ଉଭୟରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଚମ୍ପିଆନ ପାଲଟିଛି ହାର୍ଦ୍ଦିକଙ୍କ ଟିମ । ଅନ୍ୟପଟେ ଆଇପିଏଲ୍ ସିଜିନ୍ର ପ୍ରଥମ ବିଜେତା ରାଜସ୍ଥାନ ୧୪ ବର୍ଷ ପରେ ଫାଇନାଲ ଖେଳୁଥିଲେ ସୁଧା ବିଜୟ ଟାଇଟଲକୁ ହାତେଇବାରେ ସକ୍ଷମ ହୋଇନାହିଁ ।
ରାଜସ୍ଥାନର ଅଧିନାୟକ ସଂଜୁ ସାମ୍ସନ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଗୁଜରାଟ ଟାଇଟନ୍ସ ମୂଳରୁ ପ୍ରଭାବଶାଳୀ ବୋଲିଂ କରିଥିଲା। ଟିମ୍ର ସମସ୍ତ ବୋଲର ଭଲ ବୋଲିଂ କରିଥିଲେ। ଫଳରେ ରାଜସ୍ଥାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ପାଳି ଆରମ୍ଭରୁ ରାଜସ୍ଥାନ ଭଲ ବ୍ୟାଟିଂ କରିଥିଲା। କିନ୍ତୁ ପ୍ରାରମ୍ଭିକ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଛକା ମାରିବାକୁ ଯାଇ ୟାସ୍ ଦୟାଲଙ୍କ ବଲ୍ ସାଇ କିଶୋରଙ୍କୁ କ୍ୟାଚ୍ ଦେଇଥିଲେ। ଜୟସ୍ୱାଲ୍ ୧୬ଟି ବଲ୍ ସାମ୍ନା କରି ଗୋଟିଏ ଚୌକା ଓ ୨ଟି ଛକା ବଳରେ ୨୨ ରନ୍ କରିଥିଲେ। ରାଜସ୍ଥାନ ୩୧ ରନ୍ରେ ପ୍ରଥମ ଓ୍ଵିକେଟ୍ ହରାଇଥିବା ବେଳେ ସ୍କୋର ୬୦ ରନ୍ ଥିବା ବେଳେ ସଂଜୁ ସାମ୍ସନ୍ (୧୪) ଆଉ୍ଟ ହୋଇଥିଲେ। ଯୁବ ବ୍ୟାଟର ଦେବଦୂତ୍ତ ପଡ୍ଡିକଲ ମଧ୍ୟ କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ସେ ୧୦ଟି ବଲ୍ ଖେଳି ମାତ୍ର ୨ ରନ୍ କରି ରସିଦ୍ ଖାନ୍ଙ୍କ ବଲ୍ ମହମ୍ମଦ ସାମିଙ୍କୁ କ୍ୟାଚ୍ ଦେଇ ପାଭଲିଅନ୍ ଫେରି ଆସିଥିଲେ। ରାଜସ୍ଥାନ ପାଇଁ ଜୋସ୍ ବଟଲର ସର୍ବାଧିକ ୩୯ ରନ୍ କରିଥିଲେ। ସେ ୩୫ଟି ବଲ୍ ଖେଳି ୫ଟି ଚୌକା ମାରିବା ସହି ଗୁଜରାଟର ୪ର୍ଥ ଶିକାର ହୋଇଥିଲେ। ବିସ୍ଫୋରକ ବ୍ୟାଟର ସିମରନ୍ ହେଟମେୟର ୧୧ ରନ୍, ରବିଚନ୍ଦ୍ରନ ଅଶ୍ୱିନ୍ ୬ ରନ୍, ଟ୍ରେଣ୍ଟ ବୋଲ୍ଟ ୧୧ ରନ୍ ଓ ଓବେ୍ଡ ମ୍ୟାକକଏ ୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଗୁଜରାଟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩ଟି ଓ୍ଵିକେଟ ନେଇଥିଲେ। ପାଣ୍ଡ୍ୟା ୪ ଓଭର ବୋଲିଂ କରି ୧୭ ରନ୍ ଖର୍ଚ୍ଚ କରିଥିଲେ। ରବିଶ୍ରୀନିବାସନ୍ ସାଇ କିଶୋରଙ୍କୁ ୨, ୟାସ ଦୟାଲ, ମହମ୍ମଦ ସାମି ଓ ରସିଦ ଖାନଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା।
ମାତ୍ର ୧୩୧ ରନର ଲକ୍ଷ୍ୟ ନେଇ ପଡିଆକୁ ଆସିଥିବା ଗୁଜୁରାଟକୁ ଦ୍ୱିତୀୟ ଓଭରରେ ହିଁ ଝଟକା ଲାଗି ଯାଇଥିଲା । ଦଳ ମାତ୍ର ୯ ରନ କରିଥିବା ବେଳେ ଓପନର ରିଦ୍ଧିମାନ ସାହାଙ୍କୁ ହରାଇଥିଲା ଦଳ । ଏହାପରେ ମାଥ୍ୟୁ ୱେଡ ଏବଂ ଶୁଭମନ ଗିଲ ମ୍ୟାଚକୁ ଆଗେଇ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପଞ୍ଚମ ଓଭରରେ ବୋଲ୍ଟଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ ୱେଡ । ଏହାପରେ ପଡିଆରେ ପାଦ ରଖିଥିଲେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଫାଇପନାଲ ମ୍ୟାଚରେ ଦଳ ତାଙ୍କ ବ୍ୟାଟରୁ ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଆଶା କରୁଥିଲା । ସେୟା ହିଁ ହେଲା । ୩୦ ବଲରେ ୩୪ ରନର ଏକ ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ । କିନ୍ତୁ ଚହଲ ହାର୍ଦ୍ଦିକଙ୍କ ୱିକେଟ ଦଳ ପାଇଁ ଟିକିଏ ଚିନ୍ତା ବଢାଇ ଦେଇଥିଲେ । ଏହାପରେ ମିଲର ଏବଂ ଗିଲ ମ୍ୟାଚକୁ ବିଜୟ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି ଓପନର ଶୁଭମନ ଗିଲ । ୪୩ ବଲରୁ ୪୫ ରନ ହାସଲ କରି ଦଳକୁ ଭେଟି ଦେଇଛନ୍ତି ପ୍ରଥମ ବିଜୟ ଟ୍ରଫି । ମିଲର ୧୯ ବଲରେ ୩୨ ରନର ଏକ ଦ୍ରୁତ ପାଳି ଖେଳିଛନ୍ତି । ଏହି ବିଜୟ ସହ ଇତିହାସ ରଚିଛି ଗୁଜୁରାଟ ଟାଇଟନ୍ସ । ପ୍ରଥମ ଟିମ ଭାବରେ ଟାଇଟଲ ଜିତିବାରେ ସେ ନିଆରା ଅନୁଭବ ହାସଲ କରିଛି । ସେପଟେ ରାଜସ୍ଥାନ ପକ୍ଷରୁ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା ଏବଂ ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି । ତେବେ ଏହି ୱିକେଟ ସହ ପର୍ପଲ କ୍ୟାପକୁ ପୁଣି ନିଜ ନାମରେ କରି ନେଇଛନ୍ତି ଚହଲ । ସେହିପରି ବଟଲର ୮୬୩ ରନ ସହ ଅରେଞ୍ଜ କ୍ୟାପ ହାସଲ କରିଛନ୍ତି । ତେବେ ୨୦୨୨ରେ ଆଇପିଏଲ ପାଇଛଇ ଆଉ ଏକ ନୂଆ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ।
