ଆଜିଠୁ ଆଇପିଏଲ୍-୨୦୨୨ : ଉଦ୍ଘାଟନୀ ମ୍ୟାଚ୍ରେ ସିଏସ୍କେ-କେକେଆର୍ ମୁକାବିଲା
ମୁମ୍ବାଇ : ଆଜିଠୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୨ର ୧୫ତମ ସଂସ୍କରଣ । ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ଏଥର ଆଇପିଏଲରେ ବାୟୋବବଲ୍ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ । ବାୟୋବବଲ୍ ଉଲ୍ଲଂଘନ କଲେ ଖେଳାଳି ଏବଂ ଟିମ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବିସିସିଆଇ । ଯେଉଁ ଖେଳାଳି ଏହାର ଉଲ୍ଲଂଘନ କରିବେ ସେମାନଙ୍କୁ କୋଟିଏ ଟଙ୍କାର ଜରିମାନା ଦେବାକୁ ହେବ । ଏହା ସହିତ ଟିମ୍ର ପଏଂଟ ମଧ୍ୟ କାଟିଦିଆଯିବ । ନିୟମ ଉଲ୍ଲଂଘନ କରୁଥିବା ଖେଳାଳିଙ୍କ ପାଇଁ ନିୟମ ମୁତାବକ ପ୍ରଥମ ଥର ବାୟୋବବଲ ଉଲ୍ଲଂଘନ କଲେ, ୭ଦିନ ପାଇଁ ସଂପୃକ୍ତ ଖେଳାଳିଙ୍କୁ କ୍ୱାରେଂଟାଇନ ୍ରେ ରହିବା ସହିତ ନଖେଳିଥିବା ମ୍ୟାଚ୍ ଫି କଟାଯିବ । ସେହିଭଳି ଦ୍ୱିତୀୟ ଥର ଉଲ୍ଲଂଘନ କଲେ, ୭ଦିନ କ୍ୱାରେଂଟାଇନ୍ ସହ ଗୋଟିଏ ମ୍ୟାଚ୍ରୁ ନିଲମ୍ବନ ହେବାକୁ ପଡିବ । ତୃତୀୟ ଥର ବାୟୋବବଲ୍ ନିୟମ ଉଲ୍ଲଂଘନ କଲେ ଟୁର୍ଣ୍ଣାମେଂଟରୁ ବିଦା ହେବାକୁ ପଡିବ । ସେହିଭଳି କୌଣସି ପରିବାର ସଦସ୍ୟ ବାୟୋବବଲ୍କୁ ପ୍ରବେଶ କଲେ ମଧ୍ୟ ସଂପୃକ୍ତ ଖେଳାଳି କିମ୍ବା ଦଳୀୟ ସଦସ୍ୟ ୭ଦିନ ପାଇଁ କ୍ୱାରେଂଟାଇନ୍ରେ ରହିବା ବାଧ୍ୟତାମୂଳକ ।

ମାର୍ଚ୍ଚ ୨୬ ତାରିଖ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ କୋଲକାତା ନାଇଟ୍ ରାଇଡର୍ସ୍ (କେକେଆର୍) ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍ ମୁମ୍ୱାଇର ୱାନଖେଡେ ଷ୍ଟାଡିୟମରେ ସଂଧ୍ୟା ସାଢ଼େ ୭ଟାରେ ଖେଳାଯିବ । ୨୦୨୨ ଆଇପିଏଲର ଶେଷ ଲିଗ୍ ମ୍ୟାଚ୍ ୱାନଖେଡେ ଷ୍ଟାଡିୟମରେ ହିଁ ମେ’ ୨୨ରେ ସଂଧ୍ୟା ୭ରେ ଖେଳାଯିବ । ଚଳିତ ବର୍ଷର ଆଇପିଏଲ୍ ଅଧିକ ରୋମାଂଚକ ହେବା ଆଶା କରାଯାଉଛି । କରୋନା ମହାମାରୀ ଯୋଗୁଁ ୨୦୨୦ ଓ ୨୦୨୧ ଆଇପିଏଲ ମ୍ୟାଚ୍ ଭାରତରେ ଖେଳାଯାଇନଥିଲା । ବିସିସିଆଇ ଏହି ଟୁର୍ଣ୍ଣାମେଂଟକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତି ନେଇଥିଲା । ୨ ବର୍ଷ ପରେ ଭାରତରେ ଆଇପିଏଲ ମ୍ୟାଚ ଖେଳାଯାଉଥିବାରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯିବା ନିଶ୍ଚିତ । ତେବେ କରୋନା ପରିସ୍ଥିତିକୁ ଦେଖି ଦର୍ଶକଙ୍କୁ ପ୍ରବେଶ ମିଳିବ । ଅନ୍ୟପଟରେ ଚଳିତ ଥର ଆଇପିଏଲ ଟ୍ରଫି ପାଇଁ ୧୦ଟି ଦଳ ମଧ୍ୟରେ ପ୍ରତିଯୋଗିତା ହେବ ।
ଆଇପିଏଲ ୨୦୨୨ରେ ୧୦ ଦଳକୁ ଦୁଇଟି ଗ୍ରୁପ ବଂଟା ଯାଇଛି । ଏଥିରେ ପ୍ଲେ ଅଫ ଏବଂ ଫାଇନାଲ୍ ମଧ୍ୟ ସାମିଲ୍ । ପ୍ରତି ଦଳ ନିଜ ଗ୍ରୁପରେ ଥିବା ଦଳ ସହିତ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବ । ଏହା ବାଦ୍ ଦ୍ୱିତୀୟ ଗ୍ରୁପରେ ବାକି ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ । ଉଦାହରଣ ସ୍ୱରୂପ ଗ୍ରୁପ ଏରେ ମୁମ୍ୱାଇ ଇଣ୍ଡିଆନ୍ସ ଦଳ କେକେଆର, ଆରଆର, ଡିସି, ଏଲଏସଜି ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ । ଏହା ପରେ ମୁମ୍ବାଇ ସିଏସକେ ବିରୋଧରେ ୨ଟି ମ୍ୟାଚ୍ ଏବଂ ଗ୍ରୁପ ବିରେ ଅନ୍ୟ ୪ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ । ସେହିପରି ଗ୍ରୁପ ବିରେ ଆରସିବି ଦଳ ସିଏସକେ, ଏସଆରଏଚ, ପିବିକେଏସ ଏବଂ ଜିଟି ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ । ଆରସିବି ଗ୍ରୁପ ଏରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦୁଇଟି ଏବଂ ଅନ୍ୟ ୪ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ ।ଏହିପରି ୧୦ଟି ଦଳ ମୋଟ୍ ୧୪ ଲିଗ୍ ମ୍ୟାଚ୍ ଖେଳିବେ । ସାତୋଟି ମ୍ୟାଚ୍ ଘରୋଇ ଏବଂ ସାତୋଟି ବାହାରେ ଖେଳିବେ । ୭୦ଟି ଲିଗ୍ ପରେ ୪ ପ୍ଲେଅଫ ମ୍ୟାଚ୍ ଖେଳାଯିବ । ସମସ୍ତ ଦଳ ୱାଙ୍ଖେଡେ ଷ୍ଟାଡିୟମ ଏବଂ ଡିୱାଇ ପାଟିଲ୍ ଷ୍ଟାଡିୟମରେ ୪-୪ ମ୍ୟାଚ୍ ଖେଳିବେ । ବ୍ରାବୋର୍ଣ୍ଣ ଷ୍ଟାଡିୟମ ଏବଂ ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ, ପୁଣେରେ ୩-୩ ମ୍ୟାଚ୍ ଖେଳାଯିବ । ୨୦୨୨ ମାର୍ଚ୍ଚ ୨୬ରୁ ଆଇପିଏଲ ୨୦୨୨ ଆରମ୍ଭ ହେବ ଏବଂ ଫାଇନାଲ୍ ମୁକାବିଲା ମେ ୨୯ରେ ଖେଳାଯିବ । ପ୍ଲେଅଫ ମ୍ୟାଚ୍ର ସ୍ଥାନ ପରେ ସ୍ଥିର କରାଯିବ ।
